ଭାରତ ବାହାରେ ବିଭିନ୍ନ ଦେଶରେ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି, ଜାଣନ୍ତୁ ସେମାନଙ୍କ ତାଲିକା

ଯୁଦ୍ଧ ହେଲେ କେବଳ ଏଥିରେ ସଂପୃକ୍ତ ଥିବା ଦେଶଗୁଡ଼ିକର କ୍ଷତି ହୁଏ ନାହିଁ ସେମାନଙ୍କ ସହ ଯୋଡ଼ି ହୋଇଥିବା ଅନ୍ୟ ଦେଶ ମଧ୍ୟ ପ୍ରଭାବିତ ହୁଅନ୍ତି । ଯେମିତି ବର୍ତ୍ତମାନ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଅନ୍ୟ ଦେଶ ଗୁଡିକରେ ଭାଳେଣି ପଡିଛି । କାରଣ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି ୟୁକ୍ରେନରେ । ବିଶେଷ କରି ଛାତ୍ରଛାତ୍ରୀ ମାନେ ବହୁ ମାତ୍ରାରେ ସମସ୍ୟାର ସାମନା କରିଛନ୍ତି । ଯଦି ଭାରତ କଥା କହିବା ତେବେ ଭାରତ ସରକାର ସେମାନଙ୍କୁ ୟୁକ୍ରେନ୍‌ରୁ ସ୍ଥାନାନ୍ତର ପାଇଁ ସଫଳ ଉଦ୍ୟମ କରିଛନ୍ତି । ଅନେକ ମଧ୍ୟ ନିଜ ଦେଶକୁ ଫେରି ସାରିଲେଣି । ତଥାପି ବହୁ ସଂଖ୍ୟାରେ ଛାତ୍ରାଛାତ୍ରୀ ୟୁକ୍ରେନରେ ଫସି ରହିଥିବା ସୂଚନା ରହିଛି ।

ତେବେ ଏହିଭଳି ପରିସ୍ଥତିି ଅନେକ ସମୟରେ ଆମକୁ ନିଜ ଦେଶର କେତେ ଲୋକ ବିଦେଶରେ ଅଛନ୍ତି ତାର ହିସାବ ରଖିବାକୁ ବାଧ୍ୟ କରେ । ସେ କରୋନା ସମୟ ହେଉ ଅବା ଯୁଦ୍ଧ ପରିସ୍ଥିତି କେବେ ନା କେବେ ଆମକୁ ନିଜ ଲୋକମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ପଡିଥାଏ । ତେଣୁ ସଠିକ୍‌ ତଥ୍ୟ ଥିଲେ ଏସବୁରେ ବିଶେଷ ଅସୁବିଧା ହୁଏ ନାହିଁ । କେଉଁ କେଉଁ ଦେଶରେ କେତେ ଭାରତୀୟ ଛାତ୍ରଛାତ୍ରୀ ସବୁ ରହିଛନ୍ତି ଆସନ୍ତୁ ଜାଣିବା ।

ଗତବର୍ଷ ସଂସଦର ମୌସୁମୀ ଅଧିବେଶନରେ ଏହାର ସୂଚନା ମିଳିଥିଲା । ରାଜସ୍ଥାନ ସାଂସଦ କିରୋରି ଲାଲା ମୀନା ବିଦେଶରେ ପଢୁଥିବା ଛାତ୍ରମାନଙ୍କ ବିଷୟରେ ତଥ୍ୟ ଦେବା ପାଇଁ ସରକାରଙ୍କୁ କହିଥିଲେ । ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ତାଲିକା ସାମନାକୁ ଆଣିଥିଲା । ଏହି ତଥ୍ୟ ଅନୁସାରେ ପ୍ରାୟ ୧୦୦ଟି ଦେଶରେ ଭାରତୀୟ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ୟୁକ୍ରେନ, ଆମେରିକା, ବ୍ରିଟେନ୍‌, ରୁଷିଆ, ସାଉଦି ଆରବ ଭଳି ଭଳି ଅନେକ ଦେଶରେ ସେମାନେ ରହି ପାଠ ପଢୁଛନ୍ତି । ଏମିତିକି ଚୀନ ଓ ପାକିସ୍ତାନରେ ମଧ୍ୟ ଭାରତୀୟମାନେ ରହିଛନ୍ତି ।

ଗତ ବର୍ଷର ତଥ୍ୟ ଅନୁଯାୟୀ ୧୧ ଲକ୍ଷ ୩୩ ହଜାର ୭୪୯ ଛାତ୍ର ଛାତ୍ରୀ ବିଦେଶରେ ପଢୁଛନ୍ତି । ଅବଶ୍ୟ ଏହି ତଥ୍ୟ ପ୍ରାୟ ୬ମାସ ପୂର୍ବର । ତେଣୁ ବର୍ତ୍ତମାନ ଏହା ବଢ଼ିଥାଇ ପାରେ । ଏହି ତଥ୍ୟ ଦର୍ଶାଉଛି ଯେ ଭାରତରୁ କେତେ ଛାତ୍ରଛାତ୍ରୀ ଦେଶ ବାହାରେ ରହି ପଢାପଢି କରୁଛନ୍ତି ।

ଯଦି ଦେଶ ଅନୁଯାୟୀ ଦେଖାଯାଏ ତେବେ ୟୁଏଇରେ ସର୍ବାଧିକ ଭାରତୀୟ ଛାତ୍ର ଅଛନ୍ତି । ଯାହାର ସଂଖ୍ୟା ହେଉଛି ୨ଲକ୍ଷ ୧୯ ହଜାର । ଏହା ପଛକୁ ରହିଛି ଆମେରିକା । ଯେଉଁଠି ୨ଲକ୍ଷ ୧୧ ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। କାନାଡାରେ ୨ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ, ଅଷ୍ଟ୍ରେଲିଆରେ ପ୍ରାୟ ୯୨ ହାଜର, ଚୀନରେ ୨୩ ହଜାର, ଫ୍ରାନ୍ସରେ ୧୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ ଛାତ୍ର ଛାତ୍ରୀ ରହିଛନ୍ତି । ସେହିପରି ଜର୍ମାନୀରେ ୨୦ ହଜାରରୁ ଅଧିକ, ନ୍ୟୁଜିଲାଣ୍ଡରେ ପ୍ରାୟ ୩୦ ହଜାର, ୟେମେନରେ ପାଖାପାଖି ୪୩ ହଜାର, ଫିଲିପାଇନ୍ସରେ ୧୫ ହଜାର, ସାଉଦିରେ ୮୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହି ପଢୁଛନ୍ତି ।

ଭାବନ୍ତୁ ଯଦି ଏଭଳି ପରିସ୍ଥିତି ହେଉଛି ତେବେ ସେମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବାରେ କିଭଳି ସଂକଟ ଉପୁଜିବ । ଯାହା ଏବେ ଆପଣ ଦେଖୁଛନ୍ତି । ତେବେ ଏଠି କହି ରଖୁଛୁ କି ଯେଉଁମାନେ ନିୟମ ଅନୁସାରେ ବୈଦେଶିକ ମନ୍ତ୍ରାଳୟକୁ ସୂଚନା ଦେଇ ବିଦେଶ ଯାଉଛନ୍ତି ସେମାନଙ୍କ ତାଲିକା ସରକାରଙ୍କ ପାଖରେ ରହିଥାଏ । ଆଉ ଯେଉଁମାନେ ବେନିୟମ ରାସ୍ତା ଦେଇ ବିଦେଶ ଯାଆନ୍ତି କିମ୍ବା ଯେଉଁମାନଙ୍କର ଭିସା ସମୟ ସରି ଯାଇଥାଏ ତେବେ ଏଭଳି ପରିସ୍ଥିତିରେ ସେମାନେ ହଇରାଣ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.