ବିମାନରେ ନିଜ ପରିବାରକୁ ଏମିତି ସ୍ୱାଗତ କଲା ପାଇଲଟ୍‌ ପୁଅ, ମା’ବାପାଙ୍କ ଆଖିରୁ ଝରିଆସିଲା ଲୁହ

ନିଜ ପାଇଲଟ୍‌ ପୁଅର ଘୋଷଣା ଶୁଣି ମା’ବାପାଙ୍କ ଆଖିରୁ ଲୁହ ଝରି ଆସିଥିଲା ଏବଂ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ କରତାଳି ଦେଇଥିଲେ । ଏହି ଭିଡିଓକୁ ଇଣ୍ଡିଗୋ ବିମାନର ପାଇଲଟ୍ ସେୟାର କରିଛନ୍ତି ।

ଉଡ଼ାଣ ପୂର୍ବରୁ ବିମାନ ଆଟେଣ୍ଡାଣ୍ଟ କିମ୍ବା ପାଇଲଟ୍‌ଙ୍କ ତରଫରୁ ଏକ ଘୋଷଣା କରାଯାଇଥାଏ । ଅନେକ ଥର ଏହି ଘୋଷଣା ଅତ୍ୟନ୍ତ ଖାସ୍‌ ହୋଇଥାଏ, ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ । ଏବେ ଏହିପରି ଜଣେ ପାଇଲଟଙ୍କ ଘୋଷଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ତାଙ୍କ ପରିବାର ଲୋକଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି ।

ସେପଟେ ନିଜ ପାଇଲଟ୍‌ ପୁଅର ଘୋଷଣା ଶୁଣି ମା’ବାପାଙ୍କ ଆଖିରୁ ଲୁହ ଝରି ଆସିଥିଲା ଏବଂ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ କରତାଳି ଦେଇଥିଲେ । ଏହି ଭିଡିଓକୁ ଇଣ୍ଡିଗୋ ବିମାନର ପାଇଲଟ୍ ସେୟାର କରିଛନ୍ତି । ବିମାନ ଚେନ୍ନାଇରୁ କୋଏମ୍ବଟୁର ଅଭିମୁଖେ ଯାଉଥିବା ବେଳେ ପାଇଲଟ୍‌ ପ୍ରଦୀପ କୃଷ୍ଣନ ତାଙ୍କ ମା’ ଏବଂ ଜେଜେବାପା, ଜେଜେମା’ଙ୍କୁ ସ୍ୱାଗତ କରିବା ପାଇଁ ଘୋଷଣା କରିବାକୁ ଆସିଥିଲେ ।

ବିମାନ ଉଡ଼ାଣ ପୂର୍ବରୁ ପ୍ରଦୀପ କୃଷ୍ଣନ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ବିମାନରେ ବସିଥିବା ତାଙ୍କ ପରିବାର ଲୋକଙ୍କ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ‘ମୋତେ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି କି, ଆଜି ମୋ ପରିବାର ମୋ ସହିତ ଯାତ୍ରା କରୁଛନ୍ତି । ଦାଦା-ଦାଦୀ ଓ ଆମ୍ମା ୨୯ତମ ଧାଡିରେ ବସିଛନ୍ତି । ଦାଦା ପ୍ରଥମ ଥର ମୋ ସହିତ ଉଡ଼ାଣ ଭରୁଛନ୍ତି’ ।

ପାଇଲଟ୍‌ଙ୍କ ଘୋଷଣା ପରେ ସମସ୍ତ ଯାତ୍ରୀ ତାଳି ମାରିଥିଲେ । ଏହି ସମୟରେ ପାଇଲଟ୍‌ଙ୍କ ଦାଦା ଓ ଆମ୍ମା ଭାବପ୍ରବଣ ହୋଇଯାଇଥିଲେ । ସେମାନଙ୍କ ଆଖିରୁ ଲୁହ ଝରି ଆସିଥିଲା । ସେମାନେ ଠିଆ ହୋଇ ହାତ ଯୋଡ଼ି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ‘ନିଶ୍ଚିତ ଭାବରେ ଆପଣଙ୍କ ପରିବାର ଆପଣଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁଥିଲେ’ । ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ସେମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଥିଲା, ତେଣୁ ଆଖିରୁ ଲୁହ ବୋହି ଆସିବା ସ୍ୱାଭାବିକ ଥିଲା’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.