ଆଣ୍ଠୁଏ ଉଚ୍ଚା ବରଫରେ ପହରା ଦେଉଛନ୍ତି ITBP ଯବାନ; ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲିଉଠିବ

ଭାରତୀୟ ସେନା ସବୁବେଳେ ନିଜ ଜୀବନକୁ ବାଜିରେ ଲଗାଇ ଦେଶକୁ ସୁରକ୍ଷା ଦେଇ ଆସୁଛନ୍ତି। ସେନା ବାହିନୀଙ୍କ ଯୋଗୁ ହିଁ ଆମେ ଘରେ ଶାନ୍ତିରେ ଶୋଇପାରୁଛେ। ଏଣୁ ଯବାନଙ୍କ ସାହସିକତା ଦେଖିଲେ ଗର୍ବ ଅନୁଭବ ହୋଇଥାଏ। ତେବେ ବର୍ତ୍ତମାନ ଉତ୍ତରାଖଣ୍ଡର ହିମାଳୟରୁ ସେଭଳି କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଗର୍ବରେ ଛାତି ଚଉଡ଼ା ହୋଇଯିବ। ଭାରତ-ତିବ୍ଦତ ସୀମା ପୋଲିସର ଯବାନ ଉତ୍ତରାଖଣ୍ଡ ହିମାଳୟ ନିକଟରେ ଶୂନରୁ କମ୍‌ ଡିଗ୍ରୀ ତାପମାତ୍ରାରେ ୧୫,୦୦୦ ଫୁଟ୍‌ ବରଫାଞ୍ଚଳରେ ପହରା ଦେଉଛନ୍ତି। ସାମ୍ନାକୁ ଆସିଥିବା ଏହି ଭିଡିଓରେ ଯବାନମାନେ ପରସ୍ପର ପଛରେ ଦଉଡ଼ି ଧରି ଆଗକୁ ବଢ଼ୁଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ନଜର ଆସୁଥିବା ଯବାନଙ୍କ କାନ୍ଧରେ ଅସ୍ତ୍ର ଶସ୍ତ୍ର ଝୁଲିଥିବା ବେଳେ ହାତରେ ବାଡ଼ି ରହିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ବରଫ ଯବାନଙ୍କ ଆଣ୍ଠୁ ଉଚ୍ଚା ରହିଛି। ଫଳରେ ସେମାନଙ୍କୁ ଆଗକୁ ବଢ଼ିବାରେ ଅସୁବିଧା ହେଉଛି। ତଥାପି ସେମାନେ ନ ଅଟକି ଧୀରେ ଧୀରେ ଆଗକୁ ବଢ଼ି ଚାଲିଛନ୍ତି। ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଯବାନଙ୍କ ସାହସିକତାକୁ ସଲାମ୍‌ କରୁଛନ୍ତି।

ସୂଚନାଯୋଗ୍ୟ ଯେ ୧୯୬୨ ମସିହାରେ ଭାରତ-ତିବ୍ଦତ ସୀମା ପୋଲିସର ଗଠନ ହୋଇଥିଲା। ଆଇଟିବିପିର ଯବାନଙ୍କୁ ସୀମା ବ୍ୟତୀତ ନକ୍ସଲ ବିରୋଧୀ ଅଭିଯାନ ଓ ଅନ୍ୟ ଅପରେସନ୍‌ ପାଇଁ ବି ନିୟୋଜିତ କରାଯାଏ। ବର୍ଷସାରା ଏହି ଯବାନମାନେ ହିମାଳୟର କୋଳରେ ବରଫାବୃତ ଅଞ୍ଚଳରେ ରହି ଦେଶ ସେବା କରିଥାନ୍ତି। ଏହା ଏମାନଙ୍କ ମୁଖ୍ୟ କର୍ତ୍ତବ୍ୟ। ଏଣୁ ଏହି ଯବାନଙ୍କୁ ‘ହିମବୀର’ ବୋଲି ମଧ୍ୟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.