ଇନ୍ଦୋର ନଗର ନିଗମ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଦେଲା ଫୁଟ୍‌ପାଥ; ଭାଇରାଲ ଫଟୋକୁ ନେଇ ତାତିଲେ ସପା ଓ କଂଗ୍ରେସ ନେତା

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଇନ୍ଦୋରରେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ଏହି କ୍ରମରେ ଇନ୍ଦୋର ନଗର ନିଗମ ଦେଶର ଜାତୀୟ ପତାକା ରଙ୍ଗରେ ଫୁଟପାଥକୁ ମଧ୍ୟ ରଙ୍ଗେଇ ଦେଇଥିଲା, ଯାହାକୁ ନେଇ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଢ଼ି ଏବଂ ସମାଜବାଦୀ ପାର୍ଟି ନେତା ରାଜୀବ ରାୟ ସୋସିଆଲ ମିଡିଆ ଜରିଆରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଏଥି ସହିତ ସୋସିଆଲ ମିଡିଆ ୟୁଜରମାନେ ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇ ପାରିବ ଯେ ଫୁଟପାଥକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଦିଆଯାଇଛି, ଯାହାକୁ ନେଇ କଂଗ୍ରେସ ନେତାମାନେ ଆପତ୍ତି ଉଠାଇଛନ୍ତି। ସେମାନଙ୍କ କହିବା ହେଲା, ରଙ୍ଗକୁ ନେଇ ରାଜନୀତି କରୁଥିବା ଭାରତୀୟ ଜନତା ପାର୍ଟି ତ୍ରିରଙ୍ଗାକୁ ଅପମାନିତ କରିଛି। କହି ରଖୁଛୁ, ମଧ୍ୟ ପ୍ରଦେଶର ଇନ୍ଦୋରରେ ତିନି ଦିବସୀୟ ପ୍ରବାସୀ ଭାରତୀୟ ସମ୍ମିଳନୀ ଚାଲିଛି, ଯେଉଁଥିରେ ୭୦ ଦେଶରୁ ୩୫ ଶହରୁ ଅଧିକ ପ୍ରବାସୀ ଅଂଶଗ୍ରହଣ କରିଛନ୍ତି।

କଂଗ୍ରେସ ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଢ଼ି ଏହି ଫଟୋକୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରି ଲେଖିଛନ୍ତି, ‘ଏହି ଲଜ୍ଜାଜନକ ଫଟୋ ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି। ରଙ୍ଗକୁ ନେଇ ରାଜନୀତି କରୁଥିବା ବିଜେପି ବ୍ରିଜର ଫୁଟ୍‌ପାଥକୁ ତ୍ରିରଙ୍ଗା ରଙ୍ଗରେ ସଜାଇଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜୀ, କ’ଣ ଏହି ରଙ୍ଗର ସ୍ଥାନ ଠିକ୍ ଅଛି’?

ସେପଟେ ରଜତ କୁମାର ନାମକ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ‘ତ୍ରିରଙ୍ଗାର ଅପମାନ ଆଜି ନୁହେଁ, ବିଜେପି ସବୁବେଳେ ହିଁ କରିଆସିଛି’। ପ୍ରିୟଙ୍କା ଆଚାର୍ଯ୍ୟ ନାମକ ଟ୍ଵିଟର ୟୁଜର ଲେଖିଛନ୍ତି, ‘କୌଣସି ବି ଫରକ୍‌ ବିଜେପି ଲୋକଙ୍କ ଉପରେ ପଡ଼ିବ ନାହିଁ। କାରଣ, ସେମାନେ ସବୁବେଳେ ଧର୍ମବାଦ ଓ ଜାତିବାଦ ନାଁରେ କମ୍ପାନୀ ଚଳାନ୍ତି, କିନ୍ତୁ ମା’ ଭାରତୀଙ୍କୁ କେବେ ବି ସମ୍ମାନ କରନ୍ତି ନାହିଁ’।

ଅନ୍ୟପକ୍ଷରେ ପ୍ରଶାନ୍ତ ବର୍ମା ନାମକ ୟୁଜର ଲେଖିଥିଲେ ଯେ ‘ଯେ ପର୍ଯ୍ୟନ୍ତ ଏଥିରେ ଅଶୋକ ଚକ୍ର ତିଆରି ନ ହୋଇଛି, ସେ ପର୍ଯ୍ୟନ୍ତ ଏହାକୁ ତ୍ରିରଙ୍ଗା କୁହାଯାଇ ପାରିବ ନାହିଁ’। ଅନିଲ ନାମକ ୟୁଜର ଲେଖିଥିଲେ, ‘ପ୍ରତ୍ୟେକ କଥା ଉପରେ ନିଜର ଭାବନାକୁ ଆଘାତ ପହଞ୍ଚାଇବାର କଥା କହୁଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହା ଉପରେ କେବେ କହିବେ’?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.