ଇତିହାସ ରଚିଲା ଭାରତ, ଏଥର ବୁଡ଼ା ଜାହାଜରୁ ବି ହେବ ପରମାଣୁ ସମ୍ପନ୍ନ କ୍ଷେପଣାସ୍ତ୍ର ଉତକ୍ଷେପଣ

ନୂଆଦିଲ୍ଲୀ : ଚୀନ୍କୁ ଚେତାବନୀ । ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଇତିହାସ ରଚିଲା ଭାରତ । ସଂପୂର୍ଣ୍ଣ ହେଲା ଦେଶର ପରମାଣୁ ଢାଲ ପରୀକ୍ଷା । INS-ଅରିହନ୍ତର ପ୍ରଥମ ପରମାଣୁ କ୍ଷମତାସମ୍ପନ୍ନ ବାଲିଷ୍ଟିକ୍ ମିସାଇଲ୍ ଡିଟରେଣ୍ଟ ପାଟ୍ରୋଲ୍ କରିଛି ଭାରତ । ଏଣିକି ବୁଡ଼ା ଜାହାଜରୁ ବି ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପାରିବ । ଏଥିସହ ଭାରତର ନ୍ୟୁକ୍ଲିୟର ଟ୍ରାଅଡ୍ ସମ୍ପୂର୍ଣ୍ଣ ହୋଇଛି । ଭାରତକୁ ମିଳିଛି ସେକେଣ୍ଡ ଷ୍ଟ୍ରାଇକ୍ କ୍ଷମତା । ଫଳରେ ଶତ୍ରୁ ରାଷ୍ଟ୍ରକୁ ମୁକାବିଲା କରିବା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହୋଇଛି ଭାରତ । INS-ଅରିହନ୍ତର ଏହି ସଫଳତା ପରେ ଭାରତ ସ୍ଥଳ, ଜଳ ଓ ଆକାଶମାର୍ଗରୁ ପରମାଣୁ କ୍ଷମତା ସଂପନ୍ନ ମିସାଇଲ ଆକ୍ରମଣ କରି ପାରିବା ଦେଶ ତାଲିକାରେ ସାମିଲ ହୋଇଛି । ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱରେ ଷଷ୍ଠ ରାଷ୍ଟ୍ର ।
ପୂର୍ବରୁ ଆମେରିକା, ଫ୍ରାନ୍ସ, ଋଷ୍, ବ୍ରିଟେନ୍ ଓ ଚୀନ୍ ବୁଡ଼ା ଜାହାଜରୁ ପରମାଣୁ ସମ୍ପତା ସମ୍ପନ୍ନ କ୍ଷେପଣାସ୍ତ୍ର ଉତକ୍ଷେପଣର କ୍ଷମତା ରଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶ ପାଇଁ ଏହା ଏକ ବଡ଼ ଉପଲବ୍ଧି । ଧନତେରାସ୍ରେ ଏହା ଦେଶବାସୀଙ୍କ ପାଇଁ ସୁରକ୍ଷାର ଉପହାର । ଅରିହନ୍ତର ଅର୍ଥ ହେଲା ଶତ୍ରୁ ବିନାଶକାରୀ । ଶହେ କୋଟି ଭାରତୀୟଙ୍କ ସୁରକ୍ଷାର ଗ୍ୟାରେଣ୍ଟି ସଦୃଶ INS-ଅରିହନ୍ତ । ଭାରତର ଶତ୍ରୁଙ୍କ ପାଇଁ INS-ଅରିହନ୍ତ ଏକ ଖୋଲା ଚେତାବନୀ । ପରମାଣୁ ବ୍ଲାକମେଲିଂ କରୁଥିବା ରାଷ୍ଟ୍ର ପାଇଁ ଚ୍ୟାଲେଞ୍ଜ ବି ସୃଷ୍ଟି କରିଛି ଭାରତ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କାହା ସହିତ ଲାଗେ ନାହିଁ । ଆଉ ଯିଏ ଲାଗିବ ତାକୁ ଛାଡେ ନାହିଁ ।
INS-ଅରିହନ୍ତର ଓଜନ ଛଅ ହଜାର ଟନ୍ । ଏଥିରୁ ୭୫୦ କିଲୋମିଟରରୁ ୩ ହଜାର ୫ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦୀ କ୍ଷମତା ଥିବା ଆଣବିକ ବାଲିଷ୍ଟିକ ମିସାଇଲ ଉତକ୍ଷେପଣ କରାଯାଇପାରିବ । ପାଣି ଭିତରୁ ଓ ପାଣି ଉପରୁ ମଧ୍ୟ ଶତ୍ରୁ ପକ୍ଷର ମିସାଇଲ୍କୁ ଟାର୍ଗେଟ କରି ପାରିବ ଅରିହନ୍ତ ।