ଦେଶଛାଡ଼ି ପଳାୟନ କରିବା ଅପେକ୍ଷା ଦେଶବାସୀଙ୍କ ସହ ଛିଡ଼ା ହୋଇ ଶତ୍ରୁକୁ ଦମନ କର: ଜେଲେନ୍ସ୍କି ମନବଳ ବଢାଉଛନ୍ତି ତାଙ୍କ ଧର୍ମ ପତ୍ନୀ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ସହ ରୁଷର ବିବାଦ ଉପୁଜିବା ପରେ ଚର୍ଚ୍ଚାରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି। ଦେଶ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଜେଲେନ୍ସ୍କିଙ୍କ ପଛରେ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ପତ୍ନୀ ଓଲେନା ଜେଲେନ୍ସ୍କା। ରୁଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ବି ଭାଙ୍ଗିପଡ଼ିନାହାନ୍ତି ଜେଲେନ୍ସ୍କି। ଏକଦା ସ୍ୱାମୀଙ୍କ ରାଜନୀତିରେ ପ୍ରବେଶକୁ ବିରୋଧ କରୁଥିବା ବେଳେ ଏବେ କିନ୍ତୁ ସ୍ୱାମୀଙ୍କ ସବୁଠାରୁ ଦୁର୍ଦ୍ଦିନ ବେଳାରେ ବଢାଉଛନ୍ତି ମାନସିକ ମନୋବଳ। ଆକ୍ରମଣ ପରେ ସ୍ପଷ୍ଟ କରିଛନ୍ତି, ବ୍ୟସ୍ତ ହେବିନାହିଁ କିମ୍ବା କାନ୍ଦିବି ନାହିଁ। ସ୍ଥିର ଓ ଦୃଢ ନିଶ୍ଚିତ ରହିବି। ସ୍ୱାମୀ, ପିଲା ଓ ସର୍ବୋପରି ଦେଶବାସୀଙ୍କ ସହ ରହିବି ବୋଲି କହିଛନ୍ତି।
ସଂଯୋଗ କୁହାଯାଇପାରେ, ସମାନ ସହର ଓ ସମାନ ବର୍ଷରେ ଜନ୍ମ ଓ ଏକାଠି ବଢିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଦମ୍ପତ୍ତି। ରୁଷୀୟ ଭାଷାଭାଷୀ ଅଞ୍ଚଳ କ୍ରିଭି ରିହ୍ରେ ଜେଲେନ୍ସ୍କି ଓ ଓଜେନାଙ୍କ ଜନ୍ମ। ସ୍କୁଲ ପଢା ସମୟରୁ ବନ୍ଧୁତା। ତେବେ ଉଭୟ କ୍ରିଭି ରିହ୍ ନ୍ୟାସନାଲ ୟୁନିଭର୍ସିଟିରେ ପଢିବା ବେଳେ ସଂପର୍କ ନିବିଡ଼ ହୋଇଥିଲା। ତେବେ ପରେ ଓଲେନା ଆର୍କିଟେକ୍ଚର ପଢିଥିଲେ ଆଉ ଜେଲେନ୍ସ୍କି ପଢିଥିଲେ ଲ’। ୧୯୯୭ ମସିହା ବେଳକୁ ଜେଲେନ୍ସ୍କି ଜଣେ ହାସ୍ୟ ଅଭିନେତା ଭାବେ ବହୁ ଜାତୀୟ ପ୍ରତିଯୋଗୀତାରେ ପୁରସ୍କାର ଜିତି ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଜେଲେନ୍ସ୍କି ନିଜର ନୂଆ ଟିମ୍ ଭର୍ତାଲ ୯୫ ଗଠନ କରିବା ପରେ ସଂଳାପ ଲେଖକ ଭାବେ ସେଥିରେ ଯୋଗ ଦେଇଥିଲେ ଓଲେନା। ୮ବର୍ଷର ଡେଟିଂ ପରେ ୨୦୦୩ରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି।
ଜେଲେନ୍ସ୍କିଙ୍କ ସଫଳତା ଦିନକୁ ଦିନ ଶୀର୍ଷରେ ପହଞ୍ଚୁଥିବା ବେଳେ ରେଡ କାର୍ପେଟ ଓ ମିଡିଆ ଠାରୁ ଯଥେଷ୍ଟ ଦୂରତା ରକ୍ଷା କରୁଥିଲେ ଓଲେନା। ୨୦୧୫ରେ ୟୁକ୍ରେନ ଟିଭି ପରଦାରେ ପ୍ରସାରିତ ହୁଏ ଜେଲେନ୍ସ୍କିଙ୍କ ଚର୍ଚ୍ଚିତ ଓ ସବୁଠାରୁ ଲୋକପ୍ରିୟ ସିରିଆଲ ସର୍ଭାଣ୍ଟ ଅଫ୍ ଦି ପିପୁଲ। ସିରିଆଲର ଚରିତ୍ରର ଲୋକପ୍ରିୟତା ପରେ ଏହାକୁ ବାସ୍ତବରେ ପରିଣତ କରିବାକୁ ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନିଅନ୍ତି ଜେଲେନ୍ସ୍କି। ଓଲେନା ନିଷ୍ପତ୍ତିକୁ ପ୍ରବଳ ବିରୋଧ କରନ୍ତି। କିନ୍ତୁ ଦେଶବାସୀ ଏତେ ଜେଲେନ୍ସ୍କିଙ୍କ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ବିପୁଳ ଭୋଟରେ ଏକପାଖିଆ ବିଜୟ ଲାଭ କରିଥିଲେ। ଦେଶର ପ୍ରଥମ ମହିଳା ଭାବେ ଓଲେନା ନୂଆ ରୂପରେ ଦେଖାଯାନ୍ତି। ଜେଲେନ୍ସ୍କି ଶାସନ ଭାର ଗ୍ରହଣ କରିବାର ମାତ୍ର ୨ମାସ ପରେ ପ୍ରସିଦ୍ଧ ଭଗ୍ ମାଗାଜିନର କଭର ପେଜରେ ସ୍ଥାନପାନ୍ତି।
ନିଜ ଦେଶରେ ଯେତେବେଳେ ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ରହିଛି, ସେଠି ଓଲେନା ସ୍ୱାମୀ, ୧୭ ବର୍ଷର ଝିଅ ଓ ୯ବର୍ଷର ପୁଅ ସହ କିନ୍ତୁ ଶତ୍ରୁପକ୍ଷକୁ ମୁକାବିଲା କରୁଛନ୍ତି। ଦେଶଛାଡ଼ି ପଳାୟନ କରିବା ଅପେକ୍ଷା ଦେଶବାସୀଙ୍କ ସହ ଛିଡ଼ା ହୋଇ ରହିବାକୁ ଶ୍ରେୟସ୍କର ମନେ କରିଛନ୍ତି। ଏଭଳି ଦେଶରେ ଜିଇଁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ସେ କହିଛନ୍ତି।