ଇସ୍ରାଏଲ ସେନାର ଘେରାବନ୍ଦୀରେ ଗାଜା, ଚାରିପଟୁ ହମଲା କରୁଛି ଆଇଡିଏଫ

ହମାସ ରାସ୍ତା ସିଲ୍। ଇସ୍ରାଏଲ ସେନାର ନିର୍ଣ୍ଣାୟକ ଲଢ଼େଇ। ଗାଜାକୁ ଚାରିପଟୁ ଘେରି ହମାସ ଠିକଣାରେ ହମଲା କରୁଛି ଆଇଡିଏଫ। ଜଳ, ସ୍ଥଳ ଓ ଆକାଶରୁ ବର୍ଷୁଛି ବାରୁଦ।

ହମାସ ରାସ୍ତା ସିଲ୍। ଇସ୍ରାଏଲ ସେନାର ନିର୍ଣ୍ଣାୟକ ଲଢ଼େଇ। ଗାଜାକୁ ଚାରିପଟୁ ଘେରି ହମାସ ଠିକଣାରେ ହମଲା କରୁଛି ଆଇଡିଏଫ। ଜଳ, ସ୍ଥଳ ଓ ଆକାଶରୁ ବର୍ଷୁଛି ବାରୁଦ। ଗ୍ରାଉଣ୍ଡ ଅପରେସନରେ ବହୁ ହମାସ ଆତଙ୍କୀ ନିପାତ। ଏପଟେ ପୁଣି ଇସ୍ରାଏଲରେ ଆମେରିକାର ଟପ୍ କୂଟନୀତିଜ୍ଞ। ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟି ପେଣ୍ଟାଗନର ସମର୍ଥନ ଦୋହରାଇଛନ୍ତି ଆଣ୍ଟୋନୀ ବ୍ଲିଙ୍କେନ।

ଗାଜା ସହରର ୫ ସ୍ଥାନରେ ଚାଲିଛି ଘମାଘୋଟ ଲଢ଼େଇ। ଇସ୍ରାଏଲ ଆକ୍ରମଣରେ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଗାଜା ଏବେ ମୃତ୍ୟୁର ଉପତ୍ୟାକା। ମାନବୀୟ ସଂକଟ ଭୟଙ୍କର ହେଉଛି। ଏହା ଭିତରେ ରାଫାହ ସୀମା ଦେଇ ଗାଜା ଚାଡ଼ୁଛନ୍ତି ବିଦେଶୀ ନାଗରିକ।

ପେଣ୍ଟାଗନ କହିଛି ଅସ୍ତ୍ର ବିରତି ନୁହେଁ, ସାମୟିକ ବିରାମ ଆବଶ୍ୟକ। ଲୋକେ ଗାଜାରୁ ବାହାରକୁ ଯିବେ ଆଉ ଗାଜା ଭିତରକୁ ଆସିବ ମାନବୀୟ ସହାୟତା। ଏଥିପାଇଁ ଯୁଦ୍ଧରେ ସାମୟିକ ବିରାମ ଆବଶ୍ୟକ। ଅସ୍ତ୍ରବିରତି ହେଲେ ହମାସ ପୁନର୍ଗଠିତ ହେବ ବୋଲି କହିଛନ୍ତି ଆମେରିକା ନେସନାଲ ସିକୁରିଟି କାଉନସିଲ ମୁଖପାତ୍ର ଜନ କିର୍ବି।

ଯୁଦ୍ଧ ଭିତରେ ପୁଣି ଇସ୍ରାଏଲ ଗସ୍ତରେ ଆସିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ତେଲ୍ ଆଭିଭରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଛନ୍ତି। ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ଦୁଇ ନେତା। ଇସ୍ରାଏଲ ୱାର କ୍ୟାବିନେଟକୁ ମଧ୍ୟ ଭେଟିଛନ୍ତି ବ୍ଲିଙ୍କେନ।

ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟି କଥା ହୋଇଛନ୍ତି। ଇସ୍ରାଏଲକୁ ସମର୍ଥନ ଦୋହରାଇଛନ୍ତି ଆମେରିକାର ଏହି ଟପ୍ କୂଟନୀତିଜ୍ଞ। ପଣବନ୍ଦୀଙ୍କ ମୁକ୍ତି ପାଇଁ ସମସ୍ତ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ଇସ୍ରାଏଲକୁ ୩ଥର ଆସିଲେଣି ଆଣ୍ଟୋନୀ ବ୍ଲିଙ୍କେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.