Below header

ରାଜ୍ୟସଭାରେ ହାଲୁକା ମୁହୂର୍ତ୍ତ: ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ, ‘୪୫ ବର୍ଷ ହେଲା ବିବାହ କଲିଣି, ରାଗେ ନାହିଁ…’

ରାଜ୍ୟସଭାରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଭିତରେ ଗୁରୁବାର କିଛି ହାଲୁକା ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଜାଳିଆ ଢଙ୍ଗରେ କଥା ହେଉଥିବାର ଦେଖାଯାଇଥିଲା।

ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉନାହିଁ। ବିରୋଧୀମାନେ ଲଗାତାର ନିୟମ ୨୬୭ ଅଧୀନରେ ଆଲୋଚନା ପାଇଁ ଦାବି କରୁଛନ୍ତି। ସେପଟେ ସରକାରଙ୍କ କହିବା ହେଲା, ବିରୋଧୀ ଦଳ ନିଜେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

ଏବେ ରାଜ୍ୟସଭାରେ ପୁଣିଥରେ ଏହି ପ୍ରସଙ୍ଗରେ ତୀବ୍ର ବିତର୍କ ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଓ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ମଣିପୁରକୁ ନେଇ ଗମ୍ଭୀର ଆଲୋଚନା ହୋଇଥିଲା। ତେବେ ଏହି ସମୟରେ ଜଗଦୀପ ଧନଖଡ଼ ମଜାଳିଆ ଢଙ୍ଗରେ କଥା ହେଉଥିବାର ଦେଖିବାକୁ ମିଳିଥିଲା।

ଗୃହ ଆରମ୍ଭ ହେବା ପରେ ମଣିପୁର ପ୍ରସଙ୍ଗରେ ନିୟମ ୨୬୭ ଅଧୀନରେ ଆଲୋଚନା କରିବାକୁ ଜୋର୍‌ ଦେଉଥିବା ଖରଗେ କହିଥିଲେ, ଏହାକୁ ସମ୍ମାନର ପ୍ରସଙ୍ଗ କରାଯିବା ଉଚିତ ନୁହେଁ। ସେ ଉପ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଗତକାଲି ବୋଧହୁଏ ଆପଣ ରାଗିଯାଇଥିଲେ। ଏହା ଉପରେ ଧନଖଡ଼ ମଜାଳିଆ ଢଙ୍ଗରେ କହିଥିଲେ, ‘ମୁଁ ୪୫ ବର୍ଷ ହେଲା ବିବାହ କଲିଣି। କେବେ କ୍ରୋଧ କରେ ନାହିଁ’। ଜଗଦୀପ ଧନଖଡ଼ଙ୍କ କଥା ଶୁଣି ଗୃହର ସଦସ୍ୟମାନେ ଖୁବ୍‌ ହସିବାକୁ ଲାଗିଥିଲେ। ତେବେ ଏହାର ଜବାବରେ ଖରଗେ କହିଥିଲେ, ଆପଣ ଏହାକୁ ପ୍ରକାଶ ନ କରିପାରନ୍ତି, କିନ୍ତୁ ଭିତରୁ କ୍ରୋଧିତ ହୁଅନ୍ତି।

ଏହାପରେ ଖରଗେ ଅଭିଯୋଗ କରିଥିଲେ ଯେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା କରୁଛନ୍ତି, ଯାହାର ଜବାବରେ ଧନଖଡ଼ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା କରିବାର କୌଣସି ଆବଶ୍ୟକ ନାହିଁ। ତାଙ୍କର ଏକ ବିଶ୍ୱସ୍ତରୀୟ ପରିଚୟ ଅଛି। ଆମେରିକାର ସଂସଦରେ ତାଙ୍କର ସମ୍ବୋଧିନ ଶୁଣି ଦେଶର ସାଧାରଣ ଲୋକଙ୍କୁ କେତେ ଗର୍ବ ଅନୁଭବ ହୋଇଥାଏ, ଭାବନ୍ତୁ। ତିରିଶ ବର୍ଷ ପରେ ପୂର୍ଣ୍ଣ ବହୁମତର ସରକାର ଗଠନ ହୋଇଛି।

କହି ରଖୁଛୁ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଉଭୟ ଗୃହରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.