ଆଜି ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ଆଜି ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ଫଳ ପ୍ରକାଶ କରାଯିବ । ପରୀକ୍ଷାର୍ଥୀ ଜେଇଇ ଆଡ୍ଭାନ୍ସ ୱେବ୍ସାଇଟ୍ରୁ ପରୀକ୍ଷା ଫଳ ଜାଣିପାରିବେ । ଦେଶର ବିଭିନ୍ନ ଆଇଆଇଟିରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ଜେଇଇ ଆଡ୍ଭାନ୍ସ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପାଖାପାଖି ୯ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ମେନ୍ସ ପାଇଁ ପଞ୍ଜିକରଣ କରିଥିଲେ ।
ସପ୍ଟେମ୍ବର ୧ରୁ ୬ ମଧ୍ୟରେ ଚାଲିଥିବା ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ମାତ୍ର ୬ ଲକ୍ଷ ୩୫ ହଜାର ପରୀକ୍ଷାର୍ଥୀ ଆସିଥିଲେ । ଜାନୁଆରୀ ସେସନ୍ରେ ହୋଇଥିବା ପରୀକ୍ଷାରେ ୯୪.୩୨ ପ୍ରତିଶତ ଉପସ୍ଥାନ ଥିବା ବେଳେ ଏପ୍ରିଲରୁ ସେପ୍ଟେମ୍ବର ସେସନ୍ରେ ହୋଇଥିବା ପରୀକ୍ଷାରେ ଉପସ୍ଥାନ ୭୪ ପ୍ରତିଶତକୁ ହ୍ରାସ ପାଇଥିଲା । କରୋନା ମହାମାରୀ ଯୋଗୁ ଏପ୍ରିଲ ସେସନ୍ ପରୀକ୍ଷା ଦୁଇ ଥର ସ୍ଥଗିତ ରହିଥିଲା । ୨୦୨୦ ଜେଇଇ ମେନ୍ସ ରେଜଲ୍ଟ ଆଧାରରେ ୨ ଲକ୍ଷ ୪୫ ହଜାର ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ହେଲେ ସାରା ଦେଶରେ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ।
ଓଡିଶାରେ ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ଭୁବନେଶ୍ୱରରେ କେବଳ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ୪ଟି ଅନ୍ଲାଇନ କେନ୍ଦ୍ର ହୋଇଥିଲା । ଓଡ଼ିଶାରେ ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଭୁବନେଶ୍ୱରରେ କେବଳ ୨୨୦୦ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଛନ୍ତି ।