ଆମେରିକାରେ Johnson & Johnson ଭ୍ୟାକ୍ସିନ୍କୁ ମିଳିଲା ମଞ୍ଜୁରୀ, ଗୋଟିଏ ଡୋଜ୍ ହିଁ ଯଥେଷ୍ଟ
Moderna ଓ Pfizer ପରେ ଏବେ ଆମେରିକାରେ ତୃତୀୟ ଭ୍ୟାକ୍ସିନ୍କୁ ବି ମଞ୍ଜୁରୀ ମିଳିଯାଇଛି। ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେଶନ ଜନ୍ସନ ଆଣ୍ଡ ଜନ୍ସନ(J&J) ଭ୍ୟାକ୍ସିନ୍କୁ ଅନୁମୋଦନ ଦେଇଛି। ଏହି ଭ୍ୟାକ୍ସିନ୍ ୨ ପରିବର୍ତ୍ତେ କେବଳ ଗୋଟିଏ ହିଁ ଡୋଜ୍ରେ ପ୍ରଭାବଶାଳୀ ରହିବ। ଆମେରିକାରେ କରୋନାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏଭଳି ସ୍ଥିତିରେ ଟିକାକରଣ ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଏମିତି ଏକ ଭ୍ୟାକ୍ସିନ୍କୁ ଅପେକ୍ଷା କରାଯାଇଥିଲା, ଯାହାର ଗୋଟିଏ ଡୋଜ୍ ହିଁ ଯଥେଷ୍ଟ ହେବ।
FDA ପ୍ୟାନେଲର କହିବା ହେଲା, ଜନ୍ସନ ଆଣ୍ଡ ଜନ୍ସନର ଏହି ଭ୍ୟାକ୍ସିନ୍ ଗମ୍ଭୀର ରୋଗ, ହସ୍ପିଟାଲରେ ଭର୍ତ୍ତି କରାଇବାର ଆବଶ୍ୟକତା ଏବଂ ମୃତ୍ୟୁ ଆଶଙ୍କାକୁ କମ୍ କରିବାରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏଥିରେ ଶରୀରକୁ ସୁରକ୍ଷା ମିଳିଥାଏ। ତୃତୀୟ ଭ୍ୟାକ୍ସିନ୍ ମିଳିବା ପରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରାଯିବାର ଆଶା ବଢ଼ିଯାଇଛି।
J&Jର ଭ୍ୟାକ୍ସିନ୍କୁ ୩ ମହାଦ୍ୱୀପରେ ଟ୍ରାଏଲ କରାଯାଇଥିଲା। ଏଥିରୁ ଗମ୍ଭୀର ରୋଗ ବିରୋଧରେ ଆମେରିକାରେ ୮୫.୯%, ଦକ୍ଷିଣ ଆଫ୍ରିକାରେ ୮୧.୭% ଏବଂ ବ୍ରାଜିଲରେ ୮୭.୬% ସୁରକ୍ଷା ମିଳିପାରିଛି। ଖାସ୍ କଥା ହେଉଛି, ଏହି ଦେଶଗୁଡ଼ିକରେ ଭାଇରସ୍ର ନୂଆ ରୂପ ଦେଖିବାକୁ ମିଳିଛି, ଯାହାକି ଚିନ୍ତାଜନକ ବିଷୟ ପାଲଟିଛି। ଏହି ରୂପ ପୂର୍ବାପେକ୍ଷା ଅଧିକ ସଂକ୍ରାମକ। ଟ୍ରାଏଲରେ ମାତ୍ର ୨.୩% ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି।
ଆକଳନ ମୁତାବକ, ଜୁନ୍ ଶେଷ ସୁଦ୍ଧା ୧୦ କୋଟି ଡୋଜ୍ ଉପଲବ୍ଧ କରାଯାଇପାରେ। କିନ୍ତୁ J&Jର କହିବା ହେଲା, ଚଳିତମାସ ପ୍ରାରମ୍ଭରେ ୩୦ରୁ ୪୦ ଲକ୍ଷ ଡୋଜ୍ ତୁରନ୍ତ ଉପଲବ୍ଧ ହୋଇପାରେ। ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ FDAର ମଞ୍ଜୁରୀକୁ ଆମେରିକା ପାଇଁ ଉତ୍ସାହଜନକ ଖବର ବୋଲି କହିଛନ୍ତି।