ଭାରତୀୟ ସେନା ବାହିନୀରେ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଦାବି, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ ସେନା ବାହିନୀରେ କଳିଙ୍ଗ ରେଜିମେଣ୍ଟ ନାମରେ ଏକ ରେଜିମେଣ୍ଟ ଗଠନ କରିବାକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଦାବି କରିଛନ୍ତି । ସାଂସଦ ଡ. ସାମନ୍ତ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଓଡ଼ିଶା ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି ବୋଲି ଡ. ସାମନ୍ତ ମନ୍ତ୍ରୀଙ୍କୁ କହିଥିଲେ । ଭାରତୀୟ ସେନା ବାହିନୀରେ ଯେପରି ପଞ୍ଜାବ, ଆସାମ, ଜାଠ, ଅରୁଣାଚଳ ସ୍କାଉଟ, ଜାମ୍ମୁ ଓ କାଶ୍ମୀର ଲାଇଟ ଇନପାଣ୍ଟ୍ରି, ଘରୱାଲ ରାଇଫଲ୍‌ସ, ମାଡ୍ରାସ, ସିକିମ, ମରାଠା, ରାଜପୁତ ଆଦି ଲାଇଟ ଇନଫ୍ରାଣ୍ଟ୍ରି ରହିଛି । ସେହିପରି ଓଡ଼ିଶାର ଅନ୍ୟନାମ କଳିଙ୍ଗ ନାମାନୁସାରେ କଳିଙ୍ଗ ରେଜିଲେଣ୍ଟ ଗଠନ କରିବାକୁ ଓଡ଼ିଶାବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଏହାଛଡ଼ା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରେ ବୀର ପାଇକମାନଙ୍କ ଅବଦାନ ଅତୁଳନୀୟ ଏବଂ ସେମାନଙ୍କ ସମ୍ମାନାର୍ଥେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ପଦକ୍ଷେପ ନେବାକୁ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

dr achyuta samant

କଳିଙ୍ଗ ରେଜିମେଣ୍ଟ ଗଠନ ହେଲେ ଭାରତୀୟ ସେନାରେ ଓଡ଼ିଆ ବୀରମାନେ ଅଧିକ ମାତ୍ରାରେ ଦେଶ ସେବା କରିବାର ସୁଯୋଗ ପାଇବେ ବୋଲି ଡ. ସାମନ୍ତ କହିଥିଲେ । ଗତବର୍ଷ ଡିସେମ୍ବର ୨ ତାରିଖରେ ଡ. ସାମନ୍ତ କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଲୋକସଭାରେ ଦାବି ଉପସ୍ଥାପନ କରିଥିଲେ । ସେହିପରି କନ୍ଧମାଳରେ ଏକ ସୈନିକ ସ୍କୁଲ ସ୍ଥାପନ କରିବାକୁ ଡ. ସାମନ୍ତ ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏ ନେଇ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଡ. ସାମନ୍ତ କହିଲେ, କନ୍ଧମାଳକୁ ଭୁବନେଶ୍ୱର ଦେଇ ଭାରତର ସମସ୍ତ ଅଞ୍ଚଳ ସହ ରେଳ ଓ ବିମାନ ଯୋଗାଯୋଗ ସୁବିଧା ରହିଛି । ତେଣୁ ଏଠାରେ ସୈନିକ ସ୍କୁଲ କିମ୍ବା ଆର୍ମି ପବ୍ଲିକ ସ୍କୁଲ ପ୍ରତିଷ୍ଠା ହେଲେ ଭାରତର ଯେକୌଣସି ଅଞ୍ଚଳର ପିଲାମାନେ ଆସି ପାଠ ପଢ଼ିପାରିବେ ।

dr achyuta samantଏହାବ୍ୟତୀତ କନ୍ଧମାଳ ଏକ ଜନଜାତି ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଏବେ ଏହା ଏକ ମାଓ ପ୍ରବଣ ଅଞ୍ଚଳ । ଏଠାରେ ସୈନିକ ସ୍କୁଲ କିମ୍ବା ଆର୍ମୀ ପବ୍ଲିକ ସ୍କୁଲ ପ୍ରତିଷ୍ଠା ହେଲେ ଅନେକ ଜନଜାତି ପ୍ରତିଭାବନ ଛାତ୍ରଛାତ୍ରୀ ଉପକୃତ ହୋଇପାରବା ସହ ଏହା ମାଓବାଦୀଙ୍କ ମନୋବଳକୁ ଦୁର୍ବଳ କରିବାରେ ସହାୟକ ହେବ । ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆନୁଷ୍ଠାନିକ ପ୍ରସ୍ତାବ ଆସିଲେ ଏହା ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ, ଡ. ସାମନ୍ତଙ୍କୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.