କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍, ୧୪ ଦିନ ପାଇଁ ତାଲା ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : ଚାରିଆଡେ କରୋନା ନିଜ ସ୍ଥାନ ଅକ୍ତିଆର କଲାଣି। ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକ ସରକାର ନେଇଛନ୍ତି ବଡ ପଦକ୍ଷେପ। ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲି ରାତିରୁ ସମ୍ପୂର୍ଣ୍ଣ କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ।

ତେବେ ଲକଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଦିନରେ ମାତ୍ର ୪ ଘଂଟା ପାଇଁ ଖୋଲାରହିବ । ଏହି ସମୟ ମଧ୍ୟରେ ସକାଳ ୬ଟାରୁ ଦିନ ୧୦ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ। ଦିନ ୧୦ଟା ପରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ନିର୍ମାଣ କାର୍ଯ୍ୟ, ଉତ୍ପାଦନକାରୀ ସଂସ୍ଥା ଓ କୃଷି ଭିତ୍ତିକ କାର୍ଯ୍ୟ ଜାରି ରହିବ। ସାଧାରଣ ପରିବହନ ସେବା ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି।

କର୍ଣ୍ଣାଟକରେ ଦିଲ୍ଲୀ ଓ ମହାରାଷ୍ଟ୍ର ଠାରୁ ସ୍ଥିତି ଅସମ୍ଭାଳ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ୨୪ ଘଣ୍ଟା ଭିତରେ କର୍ଣ୍ଣାଟକରୁ ୩୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସେଠାରୁ ୩୪, ୦୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୩.୩୯ ଲକ୍ଷକୁ ବୃଦ୍ଧି ପାଇଛି ।

ଲକଡାଉନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଜ ବୟାନରେ କହିଛନ୍ତି, ମେ ପହିଲାରୁ ରାଜ୍ୟରେ ସାବାଳକ ଲୋକଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେଣୁ ଏପରି ସ୍ଥିତିରେ ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.