୧୪ ବର୍ଷ ପରେ ଫେରିଲେ କିଡନାପ ହୋଇଥିବା ବାଳକ, କହିଲେ ଜୀବନ ଯନ୍ତ୍ରଣାର କାହାଣୀ, ଜାଣନ୍ତୁ କ’ଣ

ପାନିପତ : ପାନିପତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି । ଯାହା ଆପଣ ଜାଣିଲେ ବି ହୋଇଯିବେ ହତ ଚକିତ । ୧୪ ବର୍ଷ ପୂର୍ବରୁ ଅପହରଣ ହୋଇଥିବା ବାଳକ ଏବେ ନିଜ ଗାଁକୁ ଫେରିଛନ୍ତି । ହେଲେ ବାଳକକୁ ନିଜର ବୋଲି ୫ ଟି ପରିବାର ଦାବି କରୁଛନ୍ତି । ଯାହାକୁ ନେଇ ଶିଶୁ କଲ୍ୟାଣ ବିଭାଗ ପଡିଛନ୍ତି ଦ୍ୱନ୍ଦ୍ୱରେ । ଆସନ୍ତୁ ଜାଣିବା ପୁରା କାହାଣୀ ।

ହରିୟାଣାର ପାନିପତରୁ ଆଜକୁ ୧୪ ବର୍ଷ ପୂର୍ବେ ଜଣେ ବାଳକ ବାହାରେ ଖେଳୁଥିବା ବେଳେ କିଡନାପ କରାଯାଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜିବା ପରେ ନପାଇ ଆଶା ଛାଡି ଦେଇଥିଲେ । ଏବେ ଚମତ୍କାର ହୋଇଛି । ଉକ୍ତ ବାଳକ ପାନିପତକୁ ଫେରି ଆସିଛନ୍ତି । ହେଲେ କାହାର ସନ୍ତାନ ବୋଲି ନିର୍ଣ୍ଣୟ ହୋଇପାରି ନାହିଁ । ତଦନ୍ତ ଜାରି ରହିଛି । ସେଦିନର ସେ ବାଳକ ଏବେ ୨୫ ବର୍ଷର ଯୁବକ ହୋଇଯାଇଛନ୍ତି ।

ହେଲେ ଯୁବକଙ୍କ ଫେରିବା କାହାଣୀ କିଛି ଏପରି । ନିକଟରେ ଏକ ଯୁବକ ରାଜସ୍ଥାନରୁ ପାନିପତରେ ପହଞ୍ଚିଥିଲେ । ଟ୍ରେନରୁ ଓହ୍ଲାଇବା ପରେ ପାନିପତ ଷ୍ଟେସନରେ ଇତସ୍ତତଃ ବୁଲୁଥିଲେ । ଯୁବକଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ଲୋକେ ସାମାଜିକ କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଯାଞ୍ଚ ପରେ ତାଙ୍କ ପକେଟରୁ ଏକ କାଗଜ ମିଳିଥିଲା । ଯେଉଁଥିରେ ଲେଖାଥିଲା, “୧୪ ବର୍ଷ ପୂର୍ବରୁ ଏହି ବାଳକକୁ ପାନିପତରୁ ଉଠାଯାଇଥିଲା । ଏହି ପିଲା ପାନପଥର ଆଖ ପାଖ ଗାଁର । ଏହାକୁ ତାଙ୍କ ପରିବାରକୁ ଜରୁର ହସ୍ତାନ୍ତର କରିବେ । “

ଯୁବକ ନିଜର ନାମ ମୋହନ ବୋଲି କହିଛନ୍ତି । ୧୧ ବର୍ଷ ପୂର୍ବେ ତାଙ୍କୁ ଅପହରଣ କରାଯାଇଥିଲା । ତାଙ୍କୁ ଟ୍ରକରେ ବସାଇ ରାଜସ୍ଥାନ ନିଆଯାଇଥିଲା । ସେଠାରେ ଗତ ୧୪ ବର୍ଷ ଧରି ମଇଁଷି ଫାର୍ମରେ ବନ୍ଧକ ଶ୍ରମିକ ଭାବେ ରଖାଯାଇଥିଲା । ତାଙ୍କୁ ମାଡ଼ ମରାଯିବା ସହ ଦୁଇ ଦିନରେ ଗୋଟିଏ ଥର ଖାଇବାରେ ରୁଟି ଦିଆଯାଉଥିଲା । ଦିନେ ପଡୋଶୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ତାଙ୍କ ଉପରେ ଦୟା ଆସିଲା ।

ଯୁବକଙ୍କୁ ସେଠାରୁ ଟ୍ରେନରେ ପାନିପତ ପର୍ଯ୍ୟନ୍ତ ଟିକେଟ ଦେଇ ବସାଇ ଦେଲେ । ଏଥି ସହ ଉକ୍ତ ଯୁବକଙ୍କ ପକେଟରେ ଏକ ଚିଠି ଲେଖି ରଖି ଦେଇଥିଲେ । ପାନିପତରେ ଯୁବକ ପହଞ୍ଚିବା ପରେ ଚିଠିରୁ ଯୁବକ ବିଷୟରେ ଜାଣି ସମାଜସେବୀଙ୍କୁ ଲୋକେ ହସ୍ତାନ୍ତର କରିଥିଲେ ।

ଯୁବକ ବିଷୟରେ ଖବର କାଗଜରୁ ପଢ଼ି ଏବେ ସେଠାକାର ୫ ଟି ପରିବାର ନିଜର ହଜିଥିବା ପିଲା ବୋଲି ଦାବି କରିଛନ୍ତି । ତେବେ ଯୁବକଙ୍କୁ ଏବେ ସାମାଜିକ କର୍ମୀମାନେ ନିଜ ପାଖରେ ରଖି କାଉନସଲିଙ୍ଗ କରୁଛନ୍ତି । ଯୁବକ ବିଷୟରେ ପ୍ରକୃତ ତଥ୍ୟ ମିଳିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସାମାଜିକ କର୍ମୀ ଚମନ ଗୁଲାଟି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.