ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ବାପାଙ୍କୁ ଦେବେ କିଡ୍‌ନୀ; ଚଳିତ ମାସ ସିଙ୍ଗାପୁରରେ ହେବ ପ୍ରତିରୋପଣ

ଗତ କିଛି ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିବା ଲାଲୁ ପ୍ରସାଦ ଯାଦବଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସମସ୍ତ ଝିଅଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ବାସ୍ତବରେ, ରୋହିଣୀ ନିଜ ବାପାଙ୍କୁ ଏକ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେପରି ସେ ରୋଗରୁ ଯଥାଶୀଘ୍ର ମୁକ୍ତି ପାଇପାରିବେ। କହି ରଖୁଛୁ କି, ଲାଲୁ ୫୬ରୁ ଅଧିକ ପ୍ରକାରର ରୋଗରେ ପୀଡିତ ଅଛନ୍ତି, ଯାହାର ଚିକିତ୍ସା ପାଇଁ ସେ କିଛି ଦିନ ପୂର୍ବେ ସିଙ୍ଗାପୁର ଯାଇଥିଲେ।

ରିପୋର୍ଟ ମୁତାବକ, ସିଙ୍ଗାପୁରରେ ଡାକ୍ତରମାନେ ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ପ୍ରତିରୋପଣ କରାଇବାକୁ ପରାମର୍ଶ ଦେବା ପରେ ରୋହିଣୀ ତାଙ୍କର ଗୋଟିଏ କିଡନୀକୁ ତାଙ୍କ ବାପାଙ୍କୁ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଲାଲୁ ପ୍ରସାଦ ପ୍ରଥମେ ରୋହିଣୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କିନ୍ତୁ ରୋହିଣୀଙ୍କ ବୁଝାଶୁଝା ପରେ ଲାଲୁ ରାଜି ହୋଇଥିଲେ ଏବଂ କିଡନୀ ନେବାକୁ ରାଜି ହୋଇଥିଲେ।

ରିପୋର୍ଟରୁ ଜଣାପଡ଼ିଛି, ଲାଲୁ ପ୍ରସାଦ ଯାଦବ ୨୦ରୁ ୨୪ ନଭେମ୍ବର ମଧ୍ୟରେ ପୁଣିଥରେ ସିଙ୍ଗାପୁର ଯାଇ ପାରନ୍ତି। ଏହି ସମୟରେ ତାଙ୍କର କିଡନୀ ପ୍ରତିରୋପଣ ପାଇଁ ଅପରେସନ ହେବାର ସମ୍ଭାବନା ରହିଛି। ରୋହିଣୀ ହେଉଛନ୍ତି ଲାଲୁଙ୍କର ଦ୍ୱିତୀୟ ଝିଅ, ଯିଏକି ସିଙ୍ଗାପୁରରେ ରୁହନ୍ତି। ସେ ନିଜ ବାପାଙ୍କ କିଡନୀ ରୋଗକୁ ନେଇ ବହୁତ ଚିନ୍ତିତ ଥିଲେ ଏବଂ ଏକ ଡାକ୍ତରୀ ଟିମ୍ ସହିତ ପରାମର୍ଶ କରିବା ପାଇଁ ଲାଲୁ ସିଙ୍ଗାପୁର ଯିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ହିଁ କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ।

You might also like