ଯୋଶୀମଠ ଧସିବା ପରେ ଏବେ ଋଷିକେଶ ହାଇୱେରେ ବଢୁଛି ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

ଉତ୍ତରାଖଣ୍ଡର ଋଷିକେଶ-ଯୋଶୀମଠ ରୋଡରେ ଭୂସ୍ଖଳନ ଯୋଗୁଁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିଯାଇଛି । ୮୦୦ରୁ ଅଧିକ ଘରେ ଫାଟ ସୃଷ୍ଟି ହେଲାଣି । ଋଷିକେଶରୁ ଯୋଶୀମଠ ହାଇୱେ ମଧ୍ୟରେ ୨୪୭ କିମି ଲମ୍ବା ସଡକରେ ୩୦୯ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି। ଏଥିପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାକୁ ନେଇ ଭାରତୀୟ ଏବଂ ବିଦେଶୀ ବୈଜ୍ଞାନିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ ପ୍ରତି ୧.୩ କିମିରେ ଭୂସ୍ଖଳନ ଦେଖିବାକୁ ପାଇଛି ।

ତେବେ ବୈଜ୍ଞାନିକ କହିଛନ୍ତି, ବାରମ୍ବାର ଗଛ କାଟିବା ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଛି । ଲଗାତାର ଗଛ କାଟିବା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଯାଉଛି । ଆଉ ଯଦି ପ୍ରବଳ ବର୍ଷାହୁଏ, ତେବେ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ ।

ସୂଚନାଯୋଗ୍ୟ, ଯୋଶୀମଠରେ ଏପର୍ଯ୍ୟନ୍ତ ୮୪୯ ଘର କ୍ଷତିଗ୍ରସ୍ତ ହୋଇଛି । ୧୬୫ ଘର ଅସୁରକ୍ଷିତ ଚିହ୍ନିତ କରାଯାଇଛି । ନୂଆ ଘରେ କୌଣସି ଫାଟ ଦେଖାଯାଇନାହିଁ ।

ଯୋଶୀମଠ ସହରର ଶ୍ରୀନଗର, ଗାନ୍ଧିନଗର, ମନୋହରବାଗ ଆଦି ଓ୍ଵାର୍ଡକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଓ୍ଵାର୍ଡରେ ପ୍ରବେଶ ଉପରେ ନିଷେଧାଦେଶ ଲାଗିଛି। ଯୋଶୀମଠ ସହରକୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ସହରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ସହରର ୩୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହୋଇଛି। ପୂରା ସହରକୁ ୩ ଭାଗରେ ବିଭକ୍ତ କରାଯାଇଛି। ଡେଞ୍ଜର ଜୋନ, ବଫର ଜୋନ ଓ ସଂପୂର୍ଣ୍ଣ ସୁରକ୍ଷିତ ଜୋନ୍। ଡେଞ୍ଜର ଜୋନରେ ଥିବା ଘର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ଫାଟ ବଢ଼ି ବଢ଼ି ଚାଲିଛି। ସାଟେଲାଇଟ୍ ସର୍ଭେ ପରେ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଯୋଶୀମଠରେ ସବୁ ନିର୍ମାଣକୁ ଏବେ ବନ୍ଦ ରଖାଯାଇଛି। ନିର୍ମାଣାଧୀନ ଜଳ ବିଦ୍ୟୁତ ପ୍ରକଳ୍ପକୁ ମଧ୍ୟ ବନ୍ଦ କରାଯାଇଛି ।

ଏବେ ବି କିଛି ଲୋକ ବିପଦସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି। ଯୋଶୀମଠକୁ ଏବେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏଠାରେ ତୁରନ୍ତ ଏନଡିଆରଏଫ ଯବାନ ମୁତୟନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ନିର୍ମାଣ କାର୍ଯ୍ୟ ଯୋଗୁ ଯୋଶୀମଠ ସହର ଏବେ ବିପଦରେ ବୋଲି କୁହାଯାଉଛି। ଗତ କିଛି ଦଶନ୍ଧି ହେବ ଏଠାରେ ବ୍ୟପକ ନିର୍ମାଣ କାର୍ଯ୍ୟ ହୋଇଛି। ବହୁ ସଂଖ୍ୟାରେ ଜନସଂଖ୍ୟା ବଢ଼ିଛି। ଏହି ହିଲ୍ ଟାଉନ୍ ୧୯୭୬ ମସିହାରୁ ସତର୍କ ଘଣ୍ଟି ବଜାଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.