ବ୍ରାଜିଲର ବିଶାଳକାୟ ଯୀଶୁଖୀଷ୍ଟଙ୍କ ଷ୍ଟାଚ୍ୟୁ ଉପରେ ବଜ୍ରପାତ! କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାଜିଲରେ ଥିବା ପ୍ରଭୁ ଯୀଶୁଙ୍କ ବିଶାଳକାୟ ଷ୍ଟାଚ୍ୟୁ ଉପରେ ବଜ୍ରପାତ। ଏହି ବଜ୍ର ଯୀଶୁଙ୍କର ଠିକ୍‌ ମୁଣ୍ଡ ଉପରେ ପଡ଼ିଛି। ସେହି ସମୟର ଦୃଶ୍ୟକୁ ସ୍ଥାନୀୟ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ କଏଦ କରିଛନ୍ତି।

ବ୍ରାଜିଲରୁ ଏକ ଆଶ୍ଚର୍ଯ୍ୟଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରସିଦ୍ଧ ବିଶାଳକାୟ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଏବଂ ଶନିବାରର ମଧ୍ୟବର୍ତ୍ତୀ ରାତିରେ ବଜ୍ରପାତ ହୋଇଛି। ଏହି ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫଟୋରେ ଆପଣ ଦେଖିପାରିବେ ଯେ ବିଜୁଳି ଜିସସ୍‌ଙ୍କର ଠିକ୍‌ ମୁଣ୍ଡ ଉପରେ ପଡ଼ୁଛି। ଯୀଶୁଙ୍କର ଏହି ମୂର୍ତ୍ତି ସମୁଦ୍ର ପତ୍ତନଠାରୁ ପାଖାପାଖି ୭୦୦ ମିଟରରୁ ଅଧିକ ଉଚ୍ଚତାରେ ରହିଛି। ମୂର୍ତ୍ତି ପର୍ବତ ଶିଖର ଉପରେ ସ୍ଥାପିତ ହୋଇଛି।

ବ୍ରାଜିଲ୍‌ର ସମାଚାର ପୋର୍ଟାଲ ୟୁଓଏଲ୍‌ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନର ତଥ୍ୟ ଆଧାରରେ କହିଛି ଯେ ଜିସସ୍‌ଙ୍କ ମୂର୍ତ୍ତି ଉପରେ ପ୍ରତିବର୍ଷ ପାଖାପାଖି ୬ ଥର ବଜ୍ରପାତ ହୋଇଥାଏ। ୨୦୧୪ରେ ଯେତେବେଳେ ବଜ୍ରପାତ ହୋଇଥିଲା, ସେହି ସମୟରେ ମୂର୍ତ୍ତିକୁ ମରାମତି କରିବାକୁ ପଡ଼ିଥିଲା। ପରେ ଅନ୍ୟ ଏକ ବଜ୍ରପାତ ଝଟ୍‌କାରେ ମୂର୍ତ୍ତିର ଡାହାଣ ହାତ ଆଙ୍ଗୁଠିର ଅଗ୍ରଭାଗ ଭାଙ୍ଗି ଯାଇଥିଲା।

ଷ୍ଟାଚ୍ୟୁ ଉପରେ ବଜ୍ରପାତର ସେହି ମୁହୂର୍ତ୍ତ ବାସ୍ତବରେ ଅଦ୍ଭୁତପୂର୍ବକ ରହିଥିବ। ତେଣୁ ସ୍ଥାନୀୟ ଜଣେ ଫଟୋଗ୍ରାଫର ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ। କହି ରଖୁଛୁ କି, ବ୍ରାଜିଲର ଏନ୍‌କେଣ୍ଟାଡୋରେ ଥିବା ଯୀଶୁଙ୍କର ଏହି ମୂର୍ତ୍ତି ବିଶ୍ୱର ତୃତୀୟ ଉଚ୍ଚତମ ମୂର୍ତ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଏପ୍ରିଲରେ ସମ୍ପୂର୍ଣ୍ଣ ହୋଇଥିଲା। ମୂର୍ତ୍ତିର ଉଚ୍ଚତା ରହିଛି ପାଖାପାଖି ୧୪୧ ଫୁଟ୍‌।

ଏହି ଷ୍ଟାଚ୍ୟୁର ଆଉ ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି। ଏଥିରେ ହୃଦୟ ଆକାରର ଏକ ବାଲ୍‌କୋନି ଅଛି, ଯାହା ଜିସସ୍‌ଙ୍କ ଛାତିରେ ତିଆରି କରାଯାଇଛି। ପର୍ଯ୍ୟଟକ ଏଲିଭେଟର ସହାୟତାରେ ଏହି ବାଲ୍‌କୋନି ପର୍ଯ୍ୟନ୍ତ ପହଞ୍ଚନ୍ତି ଏବଂ ଏଠାରୁ ଦେଶର ଏକ ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ପାଆନ୍ତି। ଏହି ଷ୍ଟାଚ୍ୟୁକୁ ‘କ୍ରାଇଷ୍ଟ୍‍ ଦ ପ୍ରୋଟେକ୍ଟର’ ନାମ ଦିଆଯାଇଛି।