ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମିଂ ଉପରେ ଖୁବ୍‌ ଶୀଘ୍ର ଲାଗିବ କଡ଼ା କଟକଣା, ନ୍ୟୁଜିଲାଣ୍ଡ ମସଜିଦ୍‌ ଆକ୍ରମଣ ପରେ ନିଷ୍ପତ୍ତି

ଆଗକୁ ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମିଂ ଆଉ ସହଜ ହେବ ନାହିଁ । ଲାଇଭ୍‌ ପାଇଁ ନିୟମକୁ କଠୋର କରିବାକୁ ଯାଉଛି ଫେସ୍‌ବୁକ୍‌ । ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ଠାରେ ମସଜିଦ୍‌ ଉପରେ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାରୀ ଜଣକ ଫେସ୍‌ବୁକ୍‌ରେ ଘଟଣାର ଲାଇଭ୍‌ ଷ୍ଟ୍ରିମିଂ କରିଥିଲା । ଏଭଳି ଘଟଣା ଯେମିତି ଆଗକୁ ନଘଟେ ସେଥିଲାଗି ନିୟମକୁ କଡ଼ାକଡ଼ି କରାଯିବ ବୋଲି ଫେସ୍‌ବୁକ୍‌ର ମୁଖ୍ୟ ଅପରେଟିଂ ଅଧିକାରୀ ସେରିଲ ସେଣ୍ଡବର୍ଗ ଏକ ଅନଲାଇନ୍‌ ପୋଷ୍ଟ କରି ଏକଥା କହିଛନ୍ତି ।
ସେଣ୍ଡବର୍ଗ କହିଛନ୍ତି ଆମ ପ୍ଲାଟଫର୍ମରେ ଘୃଣା ଓ ହିଂସାକାଣ୍ଡର ପ୍ରସାରଣ କିଭଳି ହେଲା ତାକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ଯାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ପ୍ରଶ୍ନ । ତେଣୁ ଆମେ ଭବିଷ୍ୟତରେ ଏଥିପ୍ରତି ଅଧିକ ଦୃଷ୍ଟି ଦେବୁ । ପ୍ରାଥମିକ ଭାବେ କିଛିି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ପ୍ରଥମରେ ଲାଇଭ୍‌ ଷ୍ଟ୍ରିମିଂ ନିୟମକୁ କଡ଼ାକଡ଼ି କରାଯିବ । ଦ୍ୱିତୀୟରେ ଯେମିତି ଫେସ୍‌ବୁକ୍‌ରେ ହିଂସାତ୍ମକ ଭିଜୁଆଲର ପ୍ରସାରଣ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେଣ୍ଡବର୍ଗ କହିଛନ୍ତି । ଆହୁରି ମଧ୍ୟ ପୂର୍ବରୁ ସୋସିଆଲ ମିଡିଆ ନିୟମ ଭାଙ୍ଗିଥିବା କିଛି ଲୋକଙ୍କୁ ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମିଂରୁ ବ୍ୟାନ୍‌ କରିବାକୁ ସ୍ଥିର କରିଛି ।

FACEBOOK-4

ଏହା ସହିତ ଫେସ୍‌ବୁକ୍‌ ଏକ ଅତ୍ୟାଧୁନିକ ସଫ୍ଟେଓ୍ଵୟାରର ବିକାଶ ମଧ୍ୟ କରୁଛି । ଯାହାଦ୍ୱାରା କେହି ଯଦି ହିଂସାତ୍ମକ ଦୃଶ୍ୟକୁ ଏଡିଟ୍‌ କରି ଫେସ୍‌ବୁକ୍‌ରେ ପକାଇଥିବେ ତାହା ଧରାପଡ଼ିଯିବ । ଖ୍ରୀଷ୍ଟଚର୍ଚ୍ଚ ଆକ୍ରମଣ ଘଟଣାର ଲାଇଭ୍‌ ପରେ ଏହାକୁ ଲୋକ ସେୟାର କରି ଚାଲିଛି । କିଛି ଲୋକ ଏହାକୁ ଏଡିଟ୍‌ କରି ମଧ୍ୟ ପୁଣି ଫେସ୍‌ବୁକ୍‌ରେ ପକାଇଲେ । ଯାହାକୁ ବ୍ଲକ୍‌ କରିବା ଆମ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା ବୋଲି ସେ ସେଣ୍ଡବର୍ଗ କହିଛନ୍ତି ।

NEW ZELAND

ଗତ ଏପ୍ରିଲ ୨୦୧୬ରେ ପ୍ରଥମ କରି ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମିଂ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ସାରିଛି । ତେବେ କିଛି ଲୋକ ନିୟମ ଓ ସୁରକ୍ଷା ଗାଇଡ୍‌ ଲାଇନ୍‌ସକୁ ଭାଙ୍ଗି ହିଂସା ଆଦି ଦୃଶ୍ୟର ପ୍ରସାରଣ କରିଛନ୍ତି । ଏଭଳି ୯୦୦ଟି ଭିଡିଓକୁ ଚିହ୍ନଟ କରାଯାଇଛି । ଏମିତିି କାମ କରିଥିବା କିଛି ଗୋଷ୍ଠୀଙ୍କୁ ଆସନ୍ତା ସପ୍ତାହରୁ ବ୍ୟାନ୍‌ କରାଯିବ ।
ହିଂସା ଓ ଅନ୍ୟ ପ୍ରତି ଘୃଣା ଆଦି ଘଟଣା ସମାଜ ପାଇଁ କ୍ଷତିକାରକ । ତେଣୁ ଏଭଳି ଦୃଶ୍ୟ ସବୁ ଯେମିତି ଫେସ୍‌ବୁକ୍‌ରେ ପ୍ରସାରଣ ନହୁଏ ସେଥିଲାଗି ସାରା ବିଶ୍ୱରୁ ଆପତ୍ତି ଉଠିଛି । ଆମର ମଧ୍ୟ ସାମାଜିକ ଦାୟିତ୍ୱ ରହିଛି । ସେଥିଲାଗି ଫେସ୍‌ବୁକ୍‌ ତରଫରୁ ଅତ୍ୟାଧୁନିକ ଟେକନୋଲୋଜି ଦ୍ୱାରା ଏଭଳି ଭିଡିଓକୁ ବାଦ୍‌ ଦେବା ପାଇଁ ପ୍ରୟାସ ଚାଲିଛି । ତେବେ ଏଥିଲାଗି ସମସ୍ତେ ମିଳିତ ଭାବେ ଲଢ଼େଇ କରିବାକୁ ଫେସ୍‌ବୁକ୍‌ର ମୁଖ୍ୟ ଅପରେଟିଂ ଅଧିକାରୀ ସେରିଲ ସେଣ୍ଡବର୍ଗ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.