କେନିଆର ସେନା ମୁଖ୍ୟ ଫ୍ରାନ୍ସିସ୍ ଓଗୋଲାଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ଦେଶରେ ୩ ଦିନିଆ ଶୋକ
ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ଫ୍ରାନ୍ସିସ୍ ଓଗୋଲା ଏବଂ ଅନ୍ୟ ୯ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଗୁରୁବାର ଅପରାହ୍ନରେ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କେନିଆର ସେନା ମୁଖ୍ୟ ଜେନେରାଲ ଫ୍ରାନ୍ସିସ୍ ଓଗୋଲାଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏକ ଟେଲିଭିଜନ ସମ୍ବୋଧନରେ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ରୁଟୋ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ଫ୍ରାନ୍ସିସ୍ ଓଗୋଲା ଏବଂ ଅନ୍ୟ ୯ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଗୁରୁବାର ଅପରାହ୍ନରେ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ରୁଟୋ କହିଛନ୍ତି, କେନିଆ ପ୍ରତିରକ୍ଷା ବାହିନୀର ମୁଖ୍ୟ ଜେନେରାଲ ଫ୍ରାନ୍ସିସ୍ ଓମୋଣ୍ଡି ଓଗୋଲାଙ୍କ ନିଧନ ସମ୍ପର୍କରେ ଘୋଷଣା କରି ମୋତେ ଅତ୍ୟନ୍ତ ଦୁଃଖ ଅନୁଭବ ହେଉଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ଯାଞ୍ଚ ଟିମ୍ ଗଠନ କରାଯାଇଛି । ଟିମ୍କୁ ଏଲ୍ଗେୟୋ ମରାକୱେଟ୍ କାଉଣ୍ଟିରେ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।
ରାଷ୍ଟ୍ରପତି କହିଛନ୍ତି ଯେ ଜେନେରାଲ ଓଗୋଲା କେନିଆର ଉତ୍ତର ରିଫ୍ଟ ଅଞ୍ଚଳରେ ସୈନିକମାନଙ୍କ ସହ ବୈଠକ କରିବା ଏବଂ ସେଠାରେ ଚାଲିଥିବା ବିଦ୍ୟାଳୟର ନବୀକରଣ ଯାଞ୍ଚ କରିବା ପାଇଁ ଗୁରୁବାର ନୌରୋବିରୁ ଉଡ଼ାଣ ଭରିଥିଲେ । ତାଙ୍କ ନିଧନ କେନିଆ ପ୍ରତିରକ୍ଷା ବାହିନୀର ଭ୍ରାତୃଭାବ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ ଏବଂ ଏହା ଦେଶ ପାଇଁ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଦିନ । ଆମ ମାତୃଭୂମି ନିଜର ସବୁଠୁ ବାହାଦୂର ଜେନେରାଲଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଦେଇଛି ।
ଏହାସହିତ ରାଷ୍ଟ୍ରପତି ରୁଟୋ ଓଗୋଲାଙ୍କ ନିଧନରେ କେନିଆରେ ଶୁକ୍ରବାରଠାରୁ ୩ ଦିନିଆ ଶୋକ ପାଳନ ହେବ ବୋଲି ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଜେନେରାଲ ଓଗୋଲା ୧୯୮୪ ମସିହାରେ କେନିଆ ପ୍ରତିରକ୍ଷା ବାହିନୀରେ ଯୋଗ ଦେଇଥିଲେ । କେନିଆ ବାୟୁସେନାରେ ମୁତୟନ ହେବା ପୂର୍ବରୁ ସେ ୧୯୮୫ରେ ଦ୍ୱିତୀୟ ଲେଫ୍ଟନାଣ୍ଟ ହୋଇଥିଲେ ।
ରାଷ୍ଟ୍ରପତିଙ୍କ ପ୍ରବକ୍ତା ହୁସେନ୍ ମହମ୍ମଦଙ୍କ ଅନୁସାରେ, ହେଲିକପ୍ଟର ଦୁର୍ଘଟଣା ପରେ କେନିଆ ରାଷ୍ଟ୍ରପତି ନୌରୋବିରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଇଛନ୍ତି ।