ସୋସିଆଲ ମିଡିଆରେ ନିର୍ବାଚନୀ କଟକଣା, କରିପାରିବେନି ପ୍ରଚାର

ଲୋକସମ୍ପର୍କ ବୃଦ୍ଧି ପାଇଁ ସୋସିଆଲ ମିଡିଆ ସବଠୁ ବଡ ମାଧ୍ୟମ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିସନର କିଛି କଟକଣା ଜାରି କରିଛନ୍ତି। ବିଶେଷ କରି ଫେସବୁକ, ଟ୍ବିଟର ଏବଂ ୟୁଟ୍ୟୁବରେ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପକୁ କମିସନର ବାରଣ କରିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀ ବିଭିନ୍ନ ସୋସିଆଲ ମିଡିଆରେ ରହିଥିବା ସେମାନଙ୍କ ଆକାଉଣ୍ଟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନାମାଙ୍କନ ଦାଖଲ ବେଳେ ପ୍ରଦାନ କରିବେ। ଫେସବୁକ୍ କିମ୍ବା ଟ୍ବିଟରରେ କୌଣସି ରାଜନୈତିକ ବିଜ୍ଞାପନ ଛାଡିବାକୁ ହେଲେ କମିସନରଙ୍କ ଠାରୁ ତାହାର ଅନୁମୋଦନ ଦରକାର।

ସେହିପରି କେବଳ ଯାଞ୍ଚ ହୋଇଥିବା ବିଜ୍ଞାପନ ଗୁଡିକ ଗୁଗଲ, ଫେସବୁକ୍, ଟ୍ବିଟର କିମ୍ବା ୟୁଟ୍ୟୁବରେ ଛଡାଯାଇପାରିବ। ସୋସିଆଲ ମିଡିଆ ବିଜ୍ଞାପନରେ ପ୍ରାର୍ଥୀ ଖର୍ଚ୍ଚ କରିଥିବା ଅର୍ଥ ସେମାନଙ୍କ ସାମଗ୍ରିକ ନିର୍ବାଚନ ଖର୍ଚ୍ଚରେ ଯୋଡିବାକୁ ପଡିବ। ପ୍ରଚାର ପାଇଁ କୌଣସି ଦଳ ବା ପ୍ରାର୍ଥୀ ଦେଶର ସୁରକ୍ଷା କର୍ମୀଙ୍କ ଫଟୋଚିତ୍ରକୁ ବ୍ୟବହାର କରିପାରିବେ ନାହିଁ। ଯେକୌଣସି ରାଜନୈତିକ ବିଜ୍ଞାପନ ଛଡାଯିବା ବେଳେ ତାହା ଜଣେ ସୂଚନା ପ୍ରଯୁକ୍ତି ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ହେବା ଜରୁରୀ।

ସୋସିଆଲ ମିଡିଆରେ ନିୟମ ଉଲ୍ଲଂଘନ ହେଲେ ସେ ସମ୍ପର୍କରେ ଅଭିଯୋଗ ଗ୍ରହଣ ପାଇଁ ଜଣେ ଅଧିକାରୀ ନିଯୁକ୍ତ ରହିବେ। କୌଣସି ପ୍ରକାର ମିଥ୍ୟା ଖବର କିମ୍ବା ଅନ୍ୟକୁ ନ୍ୟୂନ କରିବା ଭଳି ଭାଷଣ ସୋସିଆଲ ମିଡିଆରେ ପ୍ରସାରିତ ହେବ ନାହିଁ। ଫେସବୁକ୍, ଗୁଗଲ ଏବଂ ଟ୍ବିଟର ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କଥା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.