ଲଭ୍ ଜିହାଦ୍: ଏବେ ମିଛ କହି ଧର୍ମ ପରିବର୍ତ୍ତନ କଲେ ହେବ ୧୦ ବର୍ଷ ଜେଲ ସହ ୨୫,୦୦୦ ଜରିମାନା

ଲଭ୍ ଜିହାଦ୍ ବିରୋଧରେ ଆଇନ୍ ଆଣିବାକୁ ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ଚୂଡ଼ାନ୍ତ ମଞ୍ଜୁରୀ ଦେବା ସହ ଅଧ୍ୟାଦେଶ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅବୈଧ ଧର୍ମାନ୍ତରଣ ଆଇନ୍ ‘ଉତ୍ତର ପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସଂପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ-୨୦୨୦’ ବିଲ୍କୁ ମଞ୍ଜୁର କରିଛନ୍ତି।
ଏହି ନୂଆ ବିଲ୍ ଅନୁସାରେ ଏବେ କାହାକୁ ମିଛ ସତ କହି, ଛଳ କପଟ କରି, ପ୍ରଲୋଭନ ଦେଖାଇ କିମ୍ବା କୌଣସି କପଟ କରି ବିବାହ କରି ଧର୍ମ ପରିବର୍ତ୍ତନ କରିବା ବେଆଇନ୍ ଧରାଯିବ। ଏଭଳି କଲେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ହେବ। ଏଥିସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହେବ। ସେହିପରି ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଗଲେ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି। ଏଥିସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ।
ପ୍ରାବଧାନ ମୁତାବକ କେବଳ ଧର୍ମ ପରିବର୍ତ୍ତନ ପାଇଁ କରାଯାଇଥିବା ବିବାହକୁ ଅବୈଧ ଧରାଯିବ। ନୂତନ ଆଇନ୍ ଅନୁସାରେ ଜବରଦସ୍ତ, ମିଛ କହି, ବଳପୂର୍ବକ, ପ୍ରଲୋଭନ ଦେଖାଇ ଓ ଉତ୍ପୀଡ଼ନ କରି କରାଯାଇଥିବା ଧର୍ମ ପରିବର୍ତ୍ତନ ନନ୍ବେଲେବଲ ବା ଜାମିନ୍ବିହୀନ ଅପରାଧ ଭାବେ ପରିଗଣିତ ହେବ। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହେବ।