ଭୋପାଳରେ ଗୋଟିଏ ଦୋକାନରେ ଅଣ୍ଡା ଓ କ୍ଷୀର ବିକ୍ରିକୁ ବିଜେପିର ବିରୋଧ
ଭୋପାଳ: ମଧ୍ୟପ୍ରଦେଶର ଏକ ଦୋକାନରେ ଅଣ୍ଡା, ଚିକେନ୍ ଏବଂ କ୍ଷୀର ଏକାଠି ବିକ୍ରି କରିବାକୁ ନେଇ କମଳନାଥ ସରକାରଙ୍କ ଯୋଜନାକୁ ବିଜେପି କଡ଼ା ବିରୋଧ କରିଛି। ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି ଯେ ଗୋଟିଏ ଦୋକାନରେ କ୍ଷୀର ଓ ଅଣ୍ଡା ବିକ୍ରି କରିବା ଦ୍ୱାରା ଲୋକଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହୋଇଛି। ସେ କହିଛନ୍ତି ଯେ ଆମ ସରକାର ଗୋଟିଏ ଦୋକାନରେ ଆମିଷ ଓ ନିରାମିଷ ବିକ୍ରି କରିବାକୁ ବିରୋଧ କରିବା ସହ ଏଥିପାଇଁ ଅଲଗା ଦୋକାନ ଖୋଲିବାକୁ ଦାବି କରୁଛି।
ତେବେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସମଗ୍ର ରାଜ୍ୟରେ ଚିକେନ୍, ଅଣ୍ଡା ଓ କ୍ଷୀର ଏକାଠି ଗୋଟିଏ ଦୋକାନରେ ବିକ୍ରି କରିବା ଯୋଜନା ଆରମ୍ଭ କରିଛନ୍ତି। ଏଭଳି ଦୋକାନ ଏବେ ଭୋପାଳରେ ଖୋଲିଛି। ଏନେଇ ମନ୍ତ୍ରୀ ଲଖନ୍ ସିଂହ କହିଛନ୍ତି ଯେ ଲୋକଙ୍କୁ ଉନ୍ନତମାନର ଅଣ୍ଡା ଓ କ୍ଷୀର ଯୋଗାଇବା ପାଇଁ ସରକାର ଏଭଳି ଯୋଜନା କରିଛନ୍ତି। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରୁଛି। ତେବେ ଅଣ୍ଡା ଓ କ୍ଷୀର ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।