କରୋନା ସଂକ୍ରମିତ ହେବା ଡରରେ ବିଷ ପିଇ ଆତ୍ମହତ୍ୟା କଲେ ମାଆ ଓ ପୁଅ

ନୂଆଦିଲ୍ଲୀ : କରୋନା ମାମଲା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଥିବା ବେଳେ ନୂଆ ନୂଆ ଭାରିଆଣ୍ଟକୁ ନେଇ ଭୟ ଭିତରେ ରହିଛନ୍ତି ଦେଶବାସୀ। ଏହାରି ଭିତରେ କାରୋନା ମହାମାରୀ ହେବା ଭୟରେ ତାମିଲନାଡୁର ମଦୁରାଇରେ ଜଣେ ୨୩ ବର୍ଷୀୟ ମହିଳା ଏବଂ ତାଙ୍କ ୩ ବର୍ଷିୟ ପୁଅ ବିଷଖାଇ ଜୀବନ ହାରିଥିବା କୁହାଯାଉଛି। ୨୩ ବର୍ଷୀୟା ମାଆ ଓ ତିନି ବର୍ଷିୟ ପୁଅ ଆତ୍ମହତ୍ୟା କରିଥିବା ଖବର ଏବେ ହଇଚଇ ସୃଷ୍ଟି କରିଛି ।
ଖବର ଅନୁସାରେ ମୃତ ମହିଳାଙ୍କ ମା ଏବଂ ଭାଇଙ୍କ ସମେତ ପରିବାରର ପାଞ୍ଚ ଜଣ ଲୋକ ଏହି ସଂକ୍ରମଣକୁ ଭୟ କରି ବିଷ ପିଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ବଞ୍ଚିଥିବା ବେଳେ ମହିଳା ଏବଂ ତାଙ୍କ ତିନି ବର୍ଷର ପୁଅକୁ ପୋଲିସ ମୃତାବସ୍ଥାରେ ପାଇଛି।
ତେବେ ଗତବର୍ଷ ଡିସେମ୍ବର ମାସରେ ମାଆ ଲକ୍ଷ୍ମୀ ନିଜ ସ୍ୱାମୀ ନାଗରାଜଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ । ଏହି ଚିନ୍ତାରେ ଦିନରାତି ବୁଡ଼ି ରହୁଥିଲେ । ପୂରା ପରିବାର ନାଗରାଜଙ୍କ ବିୟୋରେ ମ୍ରିୟମାଣ ହୋଇପଡ଼ିଥିଲେ । ତାଙ୍କ ଝିଅ ଜ୍ୟୋତିକା ମଧ୍ୟ ସ୍ୱାମୀଙ୍କ ଠାରୁ ପୃଥକ୍ ହୋଇ ମାଆଙ୍କ ପାଖରେ ରହୁଥିଲେ। ଜାନୁଆରି ୮ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜାଣିବା ପରେ ଜ୍ୟୋତିକା ଏ କଥା ମାଆ ଲକ୍ଷ୍ମୀଙ୍କୁ ଜଣାଇଥିଲେ। କାଳେ ପରିବାରର ସମସ୍ତଙ୍କୁ କୋଭିଡ୍ ହୋଇଯିବ, ଏହି ଆଶଙ୍କାରେ ସମସ୍ତେ ବିଷ ଖାଇଦେଇଥିଲେ।
ପରଦିନ ପଡ଼ୋଶୀମାନଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେ ପରିବାରର ୩ଜଣଙ୍କ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ଜ୍ୟୋତିକା ଏବଂ ତାଙ୍କ ପୁଅ ମରି ସାରିଥିଲେ। ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।