ପ୍ରଖ୍ୟାତ ଯାଦୁଗର ଓପି ଶର୍ମାଙ୍କ ଦେହାନ୍ତ; ୭୧ ବର୍ଷ ବୟସରେ କାନପୁରରେ ନେଲେ ଶେଷ ନିଃଶ୍ୱାସ

ପ୍ରଖ୍ୟାତ ଯାଦୁଗର ଓପି ଶର୍ମାଙ୍କର ଶନିବାର ବିଳମ୍ବିତ ରାତିରେ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନାରେ ସଂକ୍ରମିତ ହୋଇ ଲମ୍ବା ସମୟରୁ କାନପୁରର ଫର୍ଚ୍ୟୁନ ହସ୍ପିଟାଲରେ ଚିକିତ୍ସାରତ ଥିଲେ। ତାଙ୍କର ଡାୟଲିସିସ୍‌ ମଧ୍ୟ ଚାଲିଥିଲା। ଓପି ଶର୍ମା ତାଙ୍କ ଜୀବନ କାଳ ଭିତରେ ନିଜର ଯାଦୁ କଳା ଦ୍ୱାରା ଦେଶ, ବିଦେଶରୁ ସୁଖ୍ୟାତି ଅର୍ଜନ କରିଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓମି ଶର୍ମାଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସିଏମ୍‌ ଯୋଗୀ ଏ ନେଇ ଏକ ଟ୍ଵିଟ୍‌ କରି ଲେଖିଛନ୍ତି, ‘ନିଜ କଳା ଦ୍ୱାରା ବହୁ ବର୍ଷ ଧରି ଦର୍ଶକମାନଙ୍କ ମନୋରଞ୍ଜନ କରୁଥିବା ପ୍ରଖ୍ୟାତ ଯାଦୁଗର ଓପି ଶର୍ମାଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ। ପ୍ରଭୁ ରାମଙ୍କୁ ପ୍ରାର୍ଥନା କରୁଛି କି, ସେହି ଦିବଂଗତ ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ଶୋକାକୂଳ ପରିବାରକୁ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ’।

କାନପୁରର ଦକ୍ଷିଣରେ ବର୍‌ରା-୨ରେ ଓପି ଶର୍ମା ନିଜର ଘର ତିଆରି କରିଥିଲେ। ସେ ନିଜ ଘରର ନାଁ ରଖିଥିଲେ ‘ଭୂତ ବଙ୍ଗଳା’। ଏତିକି ନୁହେଁ, ଘରର ମୁଖ୍ୟ କବାଟ ସମ୍ମୁଖରେ ଭୂତର ଆକୃତି ମଧ୍ୟ ସେ ତିଆରି କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ବଙ୍ଗଳା ବହୁତ ଚର୍ଚ୍ଚିତ ରହିଛି। ଯାଦୁରେ ପାରଙ୍ଗମ ଓପି ଶର୍ମାଙ୍କୁ ଇଣ୍ଡିଆନ ମ୍ୟାଜିକ୍‌ ମିଡିଆ ସର୍କଲ ‘ନ୍ୟାସନାଲ ମ୍ୟାଜିକ୍‌ ଆଓ୍ଵାର୍ଡ ୨୦୨୧’ରେ ସମ୍ମାନିତ କରିଛି। ତାଙ୍କୁ ‘ଶେହନଶାହ ଏ ଯାଦୁ’ର ଉପାଧି ପ୍ରଦାନ କରାଯାଇଥିଲା।

ଓପି ଶର୍ମା ୨୦୦୨ରେ ରାଜନୀତିରେ ବି ପ୍ରବେଶ କରିଥିଲେ। ସେ ଗୋବିନ୍ଦ ନଗର ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପ୍ରଚାର ସମୟରେ ଶର୍ମା ଯାଦୁ ଦେଖାଇ ଭୋଟ ମାଗୁଥିବାର ନଜର ଆସିଥିଲେ। ତାଙ୍କ ଭୋଟ ମାଗିବାର ଶୈଳୀରେ ନିର୍ବାଚନୀ ସଭାରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା, ହେଲେ ପରିତାପର ବିଷୟ ଯେ ସେ ସେତିକି ଭୋଟ ହାତେଇ ପାରି ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.