ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି ।

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲେ ।

ଘଟଣା ବିଷୟରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି । ଏହି ଘଟଣା ଗୁଢ଼ିୟାରୀ ଥାନା ଅଞ୍ଚଳରେ ଘଟିଥିବା ସୂଚନା ରହିଛି ।

ସୂଚନା ମୁତାବକ, ଏଠାରେ ସବ୍-ଡିଭିଜନ୍ ଅଫିସ୍‌ରେ ଟ୍ରାନ୍ସଫର୍ମରରେ ସର୍ଟ ସର୍କିଟ ଯୋଗୁ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ବିକଟାଳ ରୂପ ଧାରଣ କରିଥିଲା । ତେବେ ଆଶ୍ୱସ୍ତିକର କଥା ଯେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସବ-ଡିଭିଜନ ଅଫିସ୍‌ରେ ୬୦୦୦ ଟ୍ରାନ୍ସଫର୍ମର ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧୫୦୦ଟି ଜଳି ପାଉଁଶ ହୋଇଯାଇଛି ।

ସ୍ଥିତିକୁ ନଜରରେ ରଖି ପୋଲିସ ସବ-ଡିଭିଜନ ଅଫିସ୍‌ ସଂଲଗ୍ନ ରାସ୍ତା ବନ୍ଦ କରିଦେଇଛି । ନିଆଁର ପ୍ରକୋପ ବଢ଼ୁଥିବାରୁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ।

ଅଧିକାରୀଙ୍କ ମୁତାବକ, ଏହି ଅଗ୍ନିକାଣ୍ଡରେ ବିଦ୍ୟୁତ୍ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେବା ଆଶଙ୍କା କରାଯାଉଛି । ପ୍ରାଥମିକ ସ୍ତରରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । କିନ୍ତୁ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.