ଗାର୍ଲଫ୍ରେଣ୍ଡ୍‌ ସହ ହୋଟେଲରେ ରହିବାକୁ ସ୍ତ୍ରୀର ଆଧାର କାର୍ଡ ଦେଖାଇଲା ବିବାହିତ ଯୁବକ, ଲୋକେସନ୍‌ ଟ୍ରାକ୍‌ ପରେ ଧରାପଡ଼ିଲା ସତ

ମହାରାଷ୍ଟ୍ରର ପୁଣେରେ ଜଣେ ବିବାହିତ ବ୍ୟକ୍ତିଙ୍କୁ ହୋଟେଲ୍‌ରେ ଗାର୍ଲଫ୍ରେଣ୍ଡ ସହ ରହିବା ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣକ ହୋଟେଲରେ ଚେକ୍‌ ଇନ୍‌ ପାଇଁ ନିଜ ପତ୍ନୀଙ୍କ ଆଧାର କାର୍ଡ ବ୍ୟବହାର କରିଥିଲେ। ଏହି କାରଣରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ପତ୍ନୀଙ୍କ ଅଭିଯୋଗ ପରେ ସ୍ୱାମୀ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ପୁଣେର ହିଞ୍ଜେବାଡ଼ି ପୋଲିସ ଥାନାରେ ଅଭିଯୁକ୍ତ ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ବିରୋଧରେ ମଙ୍ଗଳବାର ମାମଲା ରୁଜୁ କରାଯାଇଛି। ପୋଲିସ କହିଛି, ଅଭିଯୁକ୍ତ ଗୁଜରାଟର ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ଏକ କମ୍ପାନୀରେ ଡାଇରେକ୍ଟର ଅଛନ୍ତି।

ସୂଚନାନୁଯାୟୀ, ପତ୍ନୀ ଜଣକ ସ୍ୱାମୀଙ୍କ ଏସ୍‌ୟୁଭିରେ ଜିପିଏସ୍‌ ଲଗାଇ ଦେଇଥିଲେ। ଏହା ମାଧ୍ୟମରେ ସେ ଜାଣିବାକୁ ପାଇଥିଲେ ଯେ ସ୍ୱାମୀ ତାଙ୍କୁ ଧୋକା ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ କହିଥିଲେ ଯେ ସେ ବିଜନେସ୍‌ ପାଇଁ ବାଙ୍ଗାଲୋରରେ ଅଛନ୍ତି। ଏହା ପରେ ପତ୍ନୀ ଲୋକେସନ୍‌ ଚେକ୍‌ କରିବାରୁ ତାଙ୍କ ଏସ୍‌ୟୁଭି ପୁଣେରେ ଥିବା ଜଣାପଡ଼ିଥିଲା।

ପୋଲିସ କହିଛି ଯେ ଏହି ଘଟଣା ପରେ ସ୍ତ୍ରୀଙ୍କ ସନ୍ଦେହ ହେବାରୁ ସେ ପୋଲିସ ସହ ଯୋଗଯୋଗ କରିଥିଲେ। ହୋଟେଲ ଷ୍ଟାଫ୍‌ କହିଥିଲେ ଯେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ହୋଟେଲକୁ ଆସିଥିଲେ। ଏହା ପରେ ପତ୍ନୀ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଆଧାର କାର୍ଡ ବ୍ୟବହାର କରି ଅନ୍ୟ ମହିଳାଙ୍କ ସହ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ।

ପୋଲିସ କହିଛି ଯେ ସ୍ୱାମୀ ଓ ତାଙ୍କ ଗାର୍ଲଫ୍ରେଣ୍ଡ ବିରୋଧରେ ଧାରା ୪୧୯ (ଧୋକା) ରେ କେସ୍‌ ରୁଜୁ କରାଯାଇଛି। ଉଭୟେ ବର୍ତ୍ତମାନ ଫେରାର ଅଛନ୍ତି ଓ ତାଙ୍କୁ ପୋଲିସ ଖୋଜୁଛି।