ଉନ୍ନତିରେ ପୁଅ ବାଧକ ବୋଲି କହିଲା ଗୁଣିଆ, ତ ବାପା ପେଟ୍ରୋଲ ଢାଳି ୫ ବର୍ଷର ନିରୀହକୁ ଜାଳିଦେଲା ଜିଅନ୍ତା

ତାମିଲନାଡ଼ୁର ତିରୁଓ୍ଵରୁରରେ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପ ନିଜ ୫ ବର୍ଷର ପୁଅକୁ ମୃତ୍ୟୁମୁଖକୁ ଠେଲି ଦେଇଛି। ଏହା ପଛର କାରଣ ଏତେ ଭୟାଙ୍କର ଯେ ଆପଣ ବି ଶୁଣିଲେ ଥରି ଉଠିବେ। ଖବରରୁ ଜଣାପଡ଼ିଛି, ପୁଅର ବାପାଙ୍କୁ ଜଣେ ଗୁଣିଆ କହିଥିଲେ କି, ପୁଅ ଯୋଗୁ ହିଁ ତାଙ୍କ ଜୀବନରେ କୌଣସି ଉନ୍ନତି ହୋଇପାରୁ ନାହିଁ। ଏହାକୁ ବିଶ୍ୱାସ କରି ରାମକୀ ନାମକ ଏହି ଅଟୋ ଚାଳକ ନିଜ ଭାଗ୍ୟକୁ ଚମକାଇବା ପାଇଁ ପୁଅକୁ ମୃତ୍ୟୁର ନିଦରେ ଶୁଆଇ ଦେଇଥିଲେ।

ଅଭିଯୁକ୍ତ ରାମକୀ ତନ୍ତ୍ରମନ୍ତ୍ର ଏବଂ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ ରଖୁଥିଲେ। ସେ ଉନ୍ନତି କରିବା ଆଶାରେ ସବୁବେଳେ କୌଣସି ନା କୌଣସି ଗୁଣିଆ ପାଖକୁ ଯାଉଥିଲେ। ଏମିତିରେ ଜଣେ ଗୁଣିଆ ତାଙ୍କୁ କହିଥିଲେ, ତାଙ୍କ ଖରାପ ଭାଗ୍ୟର କାରଣ ହେଉଛି ତାଙ୍କ ନିଜ ପୁଅ। ଆଗକୁ ପୁଅ ତାଙ୍କ ଜୀବନ ପାଇଁ ବିପଦ ସାଜିପାରେ। ତେଣୁ ଆଗାମୀ ୧୫ ବର୍ଷ ପାଇଁ ସେ ନିଜକୁ ପୁଅଠାରୁ ଦୂରେଇ ରଖନ୍ତୁ।

ଏହାପରେ ରାମକୀ ପୁଅକୁ ପାଠ ପଢ଼ାଇବା ବାହାନାରେ ସମ୍ପର୍କୀୟଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ଏହାକୁ ନେଇ ରାମକୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା। ଗତ ସୋମବାର ରାମକୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହି ସମୟରେ ସେ ପୁଣିଥରେ ପୁଅକୁ ପଠାଇବା କଥା ଉଠାଇଥିଲେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଶେଷରେ ରାମକୀ ପେଟ୍ରୋଲ ଢାଳି ପୁଅକୁ ଜାଳି ଦେଇଥିଲେ। ତେବେ ପୁଅଟିକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।