ଟମାଟୋ ଯୋଗୁଁ କଳି, ନ ପଚାରି ତରକାରୀରେ ୨ଟି ଟମାଟୋ ପକାଇବାରୁ ସ୍ୱାମୀକୁ ଛାଡି ଚାଲିଗଲା ସ୍ତ୍ରୀ

ଟମାଟୋ ଯୋଗୁଁ ଥାନାର ଦ୍ୱାରସ୍ଥ ହେଲେ ବ୍ୟକ୍ତି । ଘରେ ତରକାରୀ କରିବା ବେଳେ ୨ଟି ଟମାଟୋ ପକାଇଥିବାରୁ ରାଗରେ ଘର ଛାଡି ଚାଲିଗଲେ ସ୍ତ୍ରୀ । ଆଉ ସ୍ତ୍ରୀଙ୍କୁ ମନାଇବା ପାଇଁ ଟମାଟୋ ନ ଖାଇବାକୁ ରାଣ ମଧ୍ୟ ଖାଇଲେ ସ୍ୱାମୀ ।

ଟମାଟୋ ଦର ଆକାଶଛୁଆଁ । ଖାଇବାରୁ ଟମାଟୋ ଗାଏବ ମଧ୍ୟ ହୋଇଯାଉଛି । ମଧ୍ୟବିତ୍ତ ପରିବାର ଲୋକେ ଟମାଟୋ କିଣିବାକୁ ଡରୁଛନ୍ତି । ଆଉ ଏହି ଟମାଟୋ ଯୋଗୁଁ ଅନେକଙ୍କ ଘରେ କଳି ମଧ୍ୟ ହେଲାଣି । ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଟମାଟୋ ଯୋଗୁଁ ସ୍ୱାମୀଙ୍କୁ ଛାଡି ଚାଲିଯାଇଛି ସ୍ତ୍ରୀ । ଆଉ କଥା ଯାଇ ପୋଲିସ ନିକଟରେ ପହଞ୍ଚିଛି ।

ଶହଡୋଲର ସଞ୍ଜୀବ ବର୍ମନ ନାମକ ଜଣେ ବ୍ୟକ୍ତି ଟିଫିନ୍ ସେଣ୍ଟର ଚଲାନ୍ତି । ଖାଦ୍ୟ ପ୍ରସ୍ତୁତି ସମୟରେ ସଞ୍ଜୀବ ତରକାରୀରେ ଟମାଟୋ ପକାଇବା ଦେଖି ସ୍ତ୍ରୀ ରାଗି ଯାଇଥିଲେ । ବିନା ପରାମର୍ଶରେ ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ।  ସ୍ୱାମୀ ଜଣକ ସ୍ତ୍ରୀ ପତ୍ନୀଙ୍କୁ ମନାଇବାକୁ ଖୁବ୍ ଚେଷ୍ଟା କଲେ ଓ ଟମାଟୋ ନ ଖାଇବାକୁ ରାଣ ବି ଖାଇଲେ । କିନ୍ତୁ ପତ୍ନୀଙ୍କ ରାଗ କମିଲା ନାହିଁ ଆଉ ସେ ଝିଅକୁ ଧରି କେଉଁଆଡେ ଚାଲିଗଲେ । ଏହି ଘଟଣାରେ ଚିନ୍ତିତ ହୋଇପଡି ସ୍ୱାମୀ ସ୍ତ୍ରୀଙ୍କୁ ଖୋଜିବା ଲାଗି ସ୍ଥାନୀୟ ପୋଲିସ ନିକଟରେ ରିପୋର୍ଟ ଲେଖାଇଥିଲେ ।

ପୋଲିସ ସେହି ଯୁବକଙ୍କ ଠାରୁ ତାଙ୍କ ସ୍ତ୍ରୀଙ୍କ ନମ୍ବର ମାଗିଥିଲା । ଆଉ ନମ୍ବର ସହିତ ଯୋଗାଯୋଗ କରିବାରୁ  ଜଣାପଡିଥିଲା ସେ ନିଜ ଭଉଣୀ ଘର ଉମରିଆରେ ଅଛନ୍ତି । ଏହାପରେ ପୋଲିସ ସଞ୍ଜୀବଙ୍କର ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା କରାଇ ଦେଇଥିଲେ । ପୋଲିସ ଏବେ ଦୁହିଁଙ୍କ ମଧ୍ୟରେ ବୁଝାମଣା କରିବା ପାଇଁ ଲାଗିଛି ।

ତେବେ ଏହି ଘଟଣାରେ ମହିଳା ଜଣକ କହିଛନ୍ତି, ତାଙ୍କ ସ୍ୱାମୀ ତାଙ୍କୁ ମଦ ନିଶାରେ ମାରପିଟ୍‌ କରନ୍ତି । ଏହାକୁ ନେଇ ସ୍ତ୍ରୀ ରାଗି ଘରୁ ଚାଲିଯାଇଥିଲେ । କିନ୍ତୁ ଏମିତି ଘଟଣା ଟମାଟୋ ଯୋଗୁଁ ହୋଇଛି ବୋଲି ସ୍ୱାମୀ ସଂଜୀବ କହିଛନ୍ତି ବୋଲି ଧନପୁରୀ ଥାନା ଅଧିକାରୀ ସଂଜୟ ଜୟସଓ୍ଵାଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.