ଅସୁସ୍ଥ ପୁଅକୁ ଖଟିଆରେ ବୋହି ବୋହି ୯୦୦ କିଲୋମିଟର ଗଲେ ବାପା, ଭିଡିଓ ଦେଖିଲେ ଆଖିରେ ଲୁହ ଆସିଯିବ

ଏବେ ସୋସିଆଲ ମିଡିଆରେ ପ୍ରବାସୀ ଶ୍ରମିକଙ୍କ ଫଟୋ ଓ ଭିଡିଓ ବହୁଳ ଭାବେ ଭାଇରାଲ ହେଉଛି। କିଏ ଖରାରେ ଖାଲି ପାଦରେ ଚାଲି ଚାଲି ଗାଁକୁ ଫେରୁଛି ତ ଆଉ କିଏ ଦୁର୍ଘଟଣାର ଶିକାର ହେଉଛନ୍ତି। ଭାଇରାଲ ହେଉଥିବା ଫଟୋ ଓ ଭିଡିଓରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ କେତେକ କଷ୍ଟରେ ଅଛନ୍ତି ସେମାନେ। ତେବେ ଇତି ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଜଣେ ଶ୍ରମିକ ନିଜ ବେମାର ପୁଅକୁ ଖଟିଆରେ ବୋହି ବୋହି ନେଉଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଯେ କେହି ବି କାନ୍ଦି ପକାଇବ।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ସେୟାର କରାଯାଇଛି। ସୁପ୍ରିୟା ଭରଦ୍ୱାଜ ନାମକ ଜଣେ ୟୁଜର ମେ ୧୫ ତାରିଖରେ ଟ୍ଵିଟରରେ ଏହାକୁ ସେୟାର କରିଥିଲେ। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଥିଲେ ଯେ ଏମାନେ ୧୫ ଦିନ ହେବ ଚାଲି ଚାଲି ମଧ୍ୟପ୍ରଦେଶ ଫେରୁଛନ୍ତି। ଅଧ ରାସ୍ତାରେ ପୁଅର ଦେହ ଖରାପ ହୋଇଗଲା। ତାଙ୍କୁ ଖଟରେ ଶୁଆଇ ପରିବାର ଲୋକ ନେଉଛନ୍ତି। ଏହି ଭିଡିଓକୁ ନେଇ ଆଉ ଜଣେ କମେଣ୍ଟ କରି ଲେଖିଛନ୍ତି ଯେ ଭିଡିଓଟି କାନପୁରର। ବ୍ୟକ୍ତି ଜଣକ ପଞ୍ଜାବରୁ ମଧ୍ୟପ୍ରଦେଶ ପ୍ରାୟ ୯୦୦ କିଲୋମିଟର ପଦଯାତ୍ରା କରିସାରିଲେଣି। ଏହି ସମୟରେ ସେ ବେମାର ପୁଅକୁ ଖଟିଆରେ ବୋହି ନେଉଛନ୍ତି।

ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶର ସିଙ୍ଗରୌଲି ଗ୍ରାମ ନିବାସୀ ରାଜକୁମାର ଲୁଧିୟାନାରେ ଶ୍ରମିକ କାମ କରୁଥିଲେ ଓ ସେଠାରେ ପରିବାର ସହ ରହୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଛି ଏଣୁ ଖାଇବାରେ ସମସ୍ୟା ସୃଷ୍ଟି ହେଲା। ଏଥିପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିଲା ନାହିଁ। ଫଳରେ ବାଧ୍ୟ ହୋଇ ସେ ୧୮ ଜଣ ସହଯୋଗୀଙ୍କ ସହ ଚାଲି ଚାଲି ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ତାଙ୍କ ପୁଅ ଅସୁସ୍ଥ ହୋଇପଡ଼ିଥିଲା। ଏଣୁ ସେମାନେ ତାକୁ ଖଟିଆରେ ବୋହି ବୋହି ନେଉଥିଲେ।
ତେବେ ରାସ୍ତାରେ ପୋଲିସ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଅଟକାଇବା ସହ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସତ ଜାଣିବା ପରେ ପୋଲିସ ତାଙ୍କୁ ଖାଇବାକୁ ଦେବା ସହ ଘରକୁ ଯିବାରେ ସାହାଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.