ଘରକୁ ଯିବା ପାଇଁ ଜଣେ ପ୍ରବାସୀ ଶ୍ରମିକ ବାଟରୁ ଚୋରି କଲେ ସାଇକେଲ, ଆଉ ଚିଠି ଲେଖି କହିଲେ- SORRY

ଯେତେବେଳେ ନିଜ ସନ୍ତାନ ଉପରେ ଦୁଃଖ କି କଷ୍ଟ ଆସିଥାଏ ସେତେବେଳେ ଜଣେ ବାପା କୌଣସି ବି କଠିନ ସମସ୍ୟାକୁ ପାର କରିପାରେ। ଏମିତି ଏକ ଘଟଣା ଘଟିଛି ରାଜସ୍ଥାନରେ, ଯେଉଁଠି ଜଣେ ବାପା ଆଉ କିଛି ବାଟ ନପାଇ ନିଜ ସନ୍ତାନ ପାଇଁ ଚୋରି କରିଛନ୍ତି।

ରାଜସ୍ଥାନ ଭରତପୁରର ଜଣେ ପ୍ରବାସୀ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ଚୋରି କରିଛନ୍ତି। ଆଉ ଚୋରି କରି ସାଇକେଲ ନେବା ପରେ ନିଜ ହାତରେ ଏକ କ୍ଷମା ପ୍ରାର୍ଥନା ଚିଠି ମଧ୍ୟ ଛାଡିଦେଇଛନ୍ତି ସାଇକେଲ ମାଲିକଙ୍କ ପାଇଁ। ମହମ୍ମଦ ଇକବାଲ ନାମକ ଏହି ପ୍ରବାସୀ ଶ୍ରମିକଙ୍କ ଘର ଉତ୍ତରପ୍ରଦେଶର ବାରେଲି ଜିଲ୍ଲାର।

ଇକବାଲ ନିଜ ଦିବ୍ୟାଙ୍ଗ ପୁଅ ପାଇଁ ଭରତପୁର ରାହ ଗ୍ରାମରୁ ଏହି ସାଇକେଲ ଚୋରି କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ସାହାବ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଇକବାଲ ଚୋରି କରିଛନ୍ତି। ରାହ ଗ୍ରାମ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସୀମାରେ ରହିଛି। ସାହାବ ସିଂହଙ୍କ ଘର ରାହ ଗ୍ରାମରେ ଆଉ ପ୍ରତିଦିନ ଏଠାରୁ ଅନେକ ଶ୍ରମିକ ପଳାୟନ କରୁଛନ୍ତି।

ଏଇଠାରୁ ହିଁ ଇକବାଲ ବିଳମ୍ବିତ ରାତ୍ରିରେ ସାହାବ ସିଂଙ୍କ ସାଇକେଲ ଚୋରି କରିଛନ୍ତି। ତାପରଦିନ ସକାଳୁ ସାହାବ ସିଂହ ନିଜ ସାଇକେଲ ନ ପାଇ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ପାଇନଥିଲେ ଆଉ ବହୁତ ରାଗିଯାଇଥିଲେ। ଭୋରରୁ ତାଙ୍କ ସ୍ତ୍ରୀ ଘର ଛାଡୁ କରୁଥିବା ସମୟରେ ଏକ ଚିଠି ପାଇଲେ ଯାହା ସେ ତାଙ୍କ ସ୍ୱାମୀଙ୍କୁ ଆଣି ଦେଖାଇଲେ।

ଯାହାକୁ ପଢିବା ପରେ ସାହାବ ସିଂହଙ୍କ କ୍ରୋଧ ଥମି ଯାଇଥିଲା। ଇକବାଲ ଦେଇଥିବା ଚିଠିରେ ଲେଖା ଅଛି- ‘ନମସ୍କାର, ମୁଁ ଜଣେ ପ୍ରବାସୀ ଶ୍ରମିକ। ବାଧ୍ୟ ହୋଇ ମୁଁ ଏଭଳି କାମ କରୁଛି। ଆପଣଙ୍କ ସାଇକେଲ ଚୋରି କରିଥିବାରୁ ମୁଁ ଦୋଷୀ। ମୋତେ କ୍ଷମା କରିଦେବେ। ମୁଁ ଆପଣଙ୍କ ସାଇକେଲ ନେଇ ଯାଉଛି। ମୋ ପାଖରେ କିଛି ସମ୍ବଳ ନାହିଁ। ମୋତେ ମୋର ଦିବ୍ୟଙ୍ଗ ପୁଅକୁ ନେଇ ବରେଲି ଯିବାର ଅଛି।’

ତେବେ ଏହି ଚିଠିକୁ ପଢିବା ପରେ ସାଇକେଲ ହରାଇଥିବା ସାହାବ ସିଂହଙ୍କ ଆଖିରେ ଲୁହ ଆସିଯାଇଥିଲା। ସାଇକେଲ କିଛି ଭଲ କାମରେ ଲାଗିଛି ବୋଲି କହିଛନ୍ତି ସାହାବ ସିଂହ। ତେବେ ଇକବାଲଙ୍କ ବିରୁଦ୍ଧରେ ଥାନାରେ କୌଣସି ଅଭିଯୋଗ ଦିଆଯାଇନଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.