ଜେଲ୍‌ରୁ ଚିଠି ଲେଖିଲେ ମନୀଷ ସିସୋଦିଆ, ସମର୍ଥକଙ୍କୁ କହିଲେ, ‘ବହୁତ ଜଲ୍‌ଦି ଆମେ ଭେଟିବା’

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଜେଲରୁ ନିଜ ସମର୍ଥକଙ୍କୁ ଚିଠି ଲେଖିଛନ୍ତି ।

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଜେଲରୁ ନିଜ ସମର୍ଥକଙ୍କୁ ଚିଠି ଲେଖିଛନ୍ତି । ସେ ଜଲ୍‌ଦି ମୁକ୍ତ ହେବା ବିଷୟରେ ଚିଠିରେ ସଙ୍କେତ ଦେଇଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ ‘ଆମେ ଖୁବ୍‌ ଜଲ୍‌ଦି ବାହାରେ ଭେଟ ହେବା । ଶିକ୍ଷା କ୍ରାନ୍ତି ଜିନ୍ଦାବାଦ, ଲଭ୍‌ ୟୁ ଅଲ୍‌’ । ସେ ନିଜ ବିଧାନସଭାର ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖିଛନ୍ତି ।

ମନୀଷ ସିସୋଦିଆ ଲେଖିଛନ୍ତି ଯେ ‘ଗତ ୧ ବର୍ଷ ମଧ୍ୟରେ ମୁଁ ସମସ୍ତଙ୍କ କଥା ମନେ ପକାଇଥିଲି । ସମସ୍ତେ ବହୁତ ସଚ୍ଚୋଟତାର ସହିତ ଏକାଠି କାମ କରିଛନ୍ତି । ଯେଉଁଭଳି ଭାବେ ସ୍ୱାଧୀନତା ସମୟରେ ସମସ୍ତେ ଏକାଠି ମିଶି ଯୁଦ୍ଧ ଲଢ଼ିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ’ ।

ଯେପରି ଇଂରେଜଙ୍କ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା, ସେହିଭଳି ଦିନେ ପ୍ରତ୍ୟେକ ପିଲାକୁ ଉପଯୁକ୍ତ ତଥା ଉତ୍ତମ ଶିକ୍ଷା ମିଳିବ ବୋଲି ସିସୋଦିଆ କହିଛନ୍ତି । ସେ ଲେଖିଛନ୍ତି, ‘ବ୍ରିଟିଶମାନଙ୍କୁ ମଧ୍ୟ ସେମାନଙ୍କ ଶାସନର ବହୁତ ଘମଣ୍ଡ ଥିଲା । ବ୍ରିଟିଶମାନେ ମିଥ୍ୟା ଅଭିଯୋଗ ଲଗାଇ ଲୋକଙ୍କୁ ଜେଲରେ ବନ୍ଦ କରୁଥିଲେ । ସେମାନେ ବହୁ ବର୍ଷ ଧରି ଗାନ୍ଧିଜୀଙ୍କୁ ଜେଲରେ ରଖିଥିଲେ । ନେଲସନ ମଣ୍ଡେଲାଙ୍କୁ ମଧ୍ୟ ଜେଲ୍‌ରେ ରଖିଥିଲେ । ଗାନ୍ଧିଜୀ ଓ ନେଲସନ ମଣ୍ଡେଲାଙ୍କ ପରି ଲୋକ ମୋର ପ୍ରେରଣା ଏବଂ ଆପଣ ସମସ୍ତେ ମୋର ଶକ୍ତି’ ।

ସିସୋଦିଆ ଆହୁରି ଲେଖିଛନ୍ତି ଯେ ‘ଦେଶ ବିକଶିତ ହେବା ପାଇଁ ଭଲ ଶିକ୍ଷା ଏବଂ ସ୍କୁଲ ରହିବା ଜରୁରୀ । ମୁଁ ଖୁସି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି ଆସିଛି । ବର୍ତ୍ତମାନ ପଞ୍ଜାବ ଶିକ୍ଷା କ୍ରାନ୍ତିର ଖବର ପଢ଼ି ଖୁସି ଲାଗୁଛି । ଜେଲରେ ରହି ଆପଣଙ୍କ ପ୍ରତି ମୋର ପ୍ରେମ ଆହୁରି ବଢ଼ିଗଲା । ମୋ ପତ୍ନୀଙ୍କର ଆପଣମାନେ ବହୁତ ଯତ୍ନ ନେଲେ । ସୀମା ଆପଣ ସମସ୍ତଙ୍କ ବିଷୟରେ କଥା ହେଲାବେଳେ ଭାବପ୍ରବଣ ହୁଅନ୍ତି । ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.