ବ୍ରିଟେନରେ ଏବେ ପିନ୍ଧିବାକୁ ପଡ଼ିବ ନାହିଁ ମାସ୍କ, ନା ଦେଖାଇବାକୁ ହେବ ଟିକାକରଣ ପ୍ରମାଣ ପତ୍ର; ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ୟୁକେରେ କୋଭିଡ-୧୯କୁ ନେଇ ଲଗାଯାଇଥିବା ଅଧିକାଂଶ ପ୍ରତିବନ୍ଧକ ଆସନ୍ତା ସପ୍ତାହରେ ହଟାଇ ନିଆଯିବ। ସେ କହିଥିଲେ, ୨୪ ଜାନୁଆରୀଠାରୁ କୋଭିଡ ଆଇସୋଲେଶନର ଅବଧି କମାଇ କେବଳ ପାଞ୍ଚ ଦିନ ରଖାଯିବ। ଯଦିଓ ସେ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ହାଲୁକା ନୁହେଁ। ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ। ବୋରିସ୍ ଜନସନ କୋଭିଡ୍‌ ପ୍ରତିବନ୍ଧକକୁ ନେଇ ଲାଗୁ ହୋଇଥିବା ପ୍ଲାନ୍ ବି କୁ ହଟାଇ ପ୍ଲାନ୍ ଏ କୁ ଫେରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ବନ୍ଦ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ପ୍ରଧାନମନ୍ତ୍ରୀ ବ୍ରିଟିଶ ସଂସଦକୁ ଏହା ମଧ୍ୟ କହିଛନ୍ତି କି, ଘରୁ କାମ କରିବା ସମୟରେ ଲୋକମାନଙ୍କୁ ଆଉ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡିବ ନାହିଁ। ଏଥି ସହିତ ସର୍ବସାଧାରଣ ସ୍ଥାନ ଯେପରି ନାଇଟ୍ କ୍ଲବ, ଦୋକାନ କିମ୍ବା ସାର୍ବଜନିକ ପରିବହନର ଉପଯୋଗ ସମୟରେ ବି ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡିବ ନାହିଁ। ସେ କହିଛନ୍ତି ଯେ ଗୁରୁବାରଠାରୁ ବ୍ରିଟେନର ସ୍କୁଲଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ।

ଲୋକଙ୍କଠାରୁ ମିଳିଲା ସହଯୋଗ

ଜନସନ କହିଛନ୍ତି, ଏହି ପଦକ୍ଷେପ ଦେଶରେ ଏକ ସଫଳ ମାସ୍‌ ବୁଷ୍ଟର ଜ୍ୟାବ କାର୍ଯ୍ୟକ୍ରମ ପରେ ନିଆଯାଉଛି। ପୂରା ୟୁରୋପରେ ଅନେକ ଦେଶ ଶୀତଦିନିଆ ଲକଡାଉନକୁ ସମାପ୍ତ କରି ଦେଇଛନ୍ତି। ଆମ ବୈଜ୍ଞାନିକମାନଙ୍କ କହିବା ହେଲା, ଓମିକ୍ରନ୍ ଲହର ଏବେ ରାଷ୍ଟ୍ରୀୟ ସ୍ତରରେ ପିକ୍‌ରେ ଅଛି। କୋଭିଡ ପାଇଁ ଲାଗୁ ହୋଇଥିବା ‘ବି ପ୍ଲାନ’ରେ ଲୋକମାନେ ଯେପରି ସହଯୋଗ କରିଥିଲେ, ସେହି କାରଣରୁ ଆମେ ପ୍ଲାନ୍ ଏ କୁ ଫେରୁଛୁ।

ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋରିସ୍‌

କହି ରଖୁଛୁ ଯେ ବୋରିସ୍ ଜନସନ ଏହି ସମୟରେ ‘ପାର୍ଟିଗେଟ୍’ ମାମଲାକୁ ନେଇ ରାଜନୈତିକ ସଙ୍କଟର ସାମ୍ନା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଆୟୋଜିତ ମଦ ପାର୍ଟିକୁ ନେଇ ସେ ବ୍ରିଟିଶ ଲୋକଙ୍କ ସହ ସାଂସଦମାନଙ୍କ ଚାପର ବଶବର୍ତ୍ତୀ ହୋଇଛନ୍ତି। ଏହି ପାର୍ଟି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବଗିଚାରେ ସେତେବେଳେ ଆୟୋଜିତ ହୋଇଥିଲା, ଯେତେବେଳେ ସମଗ୍ର ଦେଶରେ ଲକ୍‌ଡାଉନ ଯୋଗୁ ସବୁ କିଛି ବନ୍ଦ ରହିଥିଲା। ଏହି ପାର୍ଟିରେ ପାଖାପାଖି ୧୦୦ ଲୋକ ଉପସ୍ଥିତ ଥିଲେ। ଯଦିଓ ବୋରିସ୍ ଜନସନ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ପଦ ଛାଡ଼ିବାକୁ ମନା କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.