ମୁଖ୍ୟମନ୍ତ୍ରୀ କିଏ, ଯୁବ ନା ଭେଟେରାନ୍‌ ? କଂଗ୍ରେସରେ ହଟଚମଟ

ତିନି ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଜେରଦାର ଚର୍ଚ୍ଚା । ହାଇକମାଣ୍ଡଙ୍କ ଘନଘନ ଆଲୋଚନା । ତେବେ ଦୁଇଥରର ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି । ତାଙ୍କ ନାଁରେ ମୋହର ମାରିଛନ୍ତି ରାହୁଲ ଗାନ୍ଧି । ଖାଲି ଘୋଷଣା ନେଇ ଔପଚାରିକତା ବାକି ରହିଛି। କିନ୍ତୁ ଦ୍ୱନ୍ଦ୍ୱ ଦୂର ହୋଇ ନଥିବାରୁ ଘୋଷଣାରେ ବିଳମ୍ବ ହେଉଛି । ଆଜି ସକାଳେ ଉଭୟ ସଚିନ ଓ ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ସେହିପରି ରାଜସ୍ଥାନ ପର‌୍ୟ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ବି ବୈଠକ କରିଥିଲେ ରାହୁଲ।

ନବ ନିର୍ବାଚିତ ବିଧାୟକ, ଦଳୀୟ କର୍ମୀ ଓ ହାଇଟେକ୍‌ ବ୍ୟବସ୍ଥା ମାଧ୍ୟମରେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ମତାମତ ଲୋଡ଼ିଥିଲେ କଂଗ୍ରେସ ଅଧ୍ୟକ୍ଷ। ସଚିନଙ୍କ ସମର୍ଥନରେ ବାହାରି ଥିଲେ ବହୁ କଂଗ୍ରେସ କର୍ମୀ । ଦିନ ତମାମ ଦ୍ୱନ୍ଦ୍ୱ ଲାଗି ରହିଥିଲା। କିନ୍ତୁ ଅପରାହ୍ନ ବେଳେକୁ ସ୍ପଷ୍ଟ ହେଲା, ସଚିନଙ୍କ ତୁଳନାରେ ଭେଟେରାନ ନେତାଙ୍କୁ ପସନ୍ଦ କରିଥିଲେ ରାହୁଲ ଗାନ୍ଧୀ। ସେପଟେ ସଚିନ ପାଇଲଟଙ୍କ ସମର୍ଥକ ମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ରାଜସ୍ଥାନର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ତେବେ ନିଜ ସମର୍ଥକମାନଙ୍କୁ ଶାନ୍ତି ଓ ଅନୁଶାସନ ବଜାୟ ରଖିବାକୁ ନିବେଦନ କରିଛନ୍ତି ସଚିନ। ଦଳର ଶୀର୍ଷ ନେତୃତ୍ୱରେ ତାଙ୍କର ସଂପୂର୍ଣ୍ଣ ଭରସା ରହିଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ନେତୃତ୍ୱ ନେଇ ଯେଉଁ ନିଷ୍ପତ୍ତି ନେବେ ତାକୁ ସେ ସ୍ୱାଗତ କରିବେ। ଦଳର ସମ୍ମାନ ରକ୍ଷା କରିବା ପ୍ରତ୍ୟେକଙ୍କର ଦାୟିତ୍ୱ ବୋଲି କହିଛନ୍ତି ସଚିନ ପାଇଲଟ। ଦଳ ପ୍ରତି ସେ ସମର୍ପିତ ବୋଲି କହିଛନ୍ତି।

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଭେଟେରାନଙ୍କ ଉପରେ ରାହୁଲ ଭରସିବେ ନା ୟଙ୍ଗ ଫେସ୍‌ ହାତରେ ଦେବେ ଶାସନ ଡ଼ୋରି । ତାକୁ ନେଇ ଏବେ ବି କଳ୍ପନାଜଳ୍ପନା ଲାଗି ରହିଛି । ହାଇକମାଣ୍ଡ ରାହୁଳ ଗାନ୍ଧି କମଳନାଥଙ୍କ ନାଁରେ ମୋହର ମାରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାର କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ଚର୍ଚ୍ଚା ହୋଇଥିଲା । ତେବେ ଅଧିକାଂଶ ବିଧାୟକ କମଲନାଥଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବା କୁହାଯାଉଛି । ମଧ୍ୟପ୍ରଦେଶରେ ଦୁଇ ଦଣ ଦାବିଦାର କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଧାୟକ ଦଳ ବୈଠକରେ ଏଦୁଇ ଜଣଙ୍କ ନାଁ ନେଇ ଆଲୋଚନା ବି କରାଯାଇଥିଲା । ଗତକାଲି ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ ଦାବି ଜଣାଇଲା କଂଗ୍ରେସ । ୧୨୧ ବିଧାୟକଙ୍କ ସମର୍ଥନର ତାଲିକା ପ୍ରଦାନ କରାଯାଇଛି ।

ସେପଟେ ଛତିଶଗଡ଼ରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନାଜଳ୍ପନା ଚାଲିଛି । ରେସ୍‌ରେ ଅଛନ୍ତି ଚାରି ଜଣ ନେତା । ଏମାନେ ରାଜ୍ୟ ପିସିସି ସଭାପତି ଭୂପେଶ ବାଘେଲ, ବିରୋଧୀ ଦଳ ନେତା ଟି. ଏସ୍‌. ସିଂଦେଓ, ବରିଷ୍ଠ ନେତା ଚରଣ ଦାସ ମହନ୍ତ ଓ ତାମ୍ରଧ୍ୱଜ ସାହୁ । ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଚୟନ ନେଇ ଆଲୋଚନା ହୋଇଛି । ଆଗରେ ଅଛନ୍ତି ପିସିସି ସଭାପତି ଭୂପେଶ ବାଘେଲ । ତେବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.