ମନ ଭାଙ୍ଗିଦେଲା ମନପ୍ରୀତ ବାହିନୀ : ହକି ବିଶ୍ୱ କପ୍‌ କ୍ୱାର୍ଟରରେ ହାରିଗଲା ଭାରତ : ସେମିରେ ନେଦରଲାଣ୍ଡସ-ଅଷ୍ଟ୍ରେଲିଆ ମୁକାବିଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍କଣ୍ଠା ଓ ରୋମାଞ୍ଚର ଚରମ ସୀମା । କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ କପ୍‌ର ହାଇଭୋଲଟେଜ୍‌ କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ । ଖଚାଖଚ୍‌ ଭରା ଷ୍ଟାଡିୟମ୍‌ରେ ଦର୍ଶକଙ୍କ ହୋହଲ୍ଲା । ତାରି ଭିତରେ ଦମ୍‌ ଦେଖାଇବାକୁ ଭରପୂର ଚେଷ୍ଟା କରିଥିଲା ଆୟୋଜକ ଭାରତ । ହେଲେ ଶେଷରେ ୨-୧ ଗୋଲ୍‌ରେ ହାରି ଯାଇଛି । ଶେଷ କ୍ୱାର୍ଟରଫାନାଲ୍‌ରେ ଜିତି ନେଦରଲାଣ୍ଡସ ୧୫ ତାରିଖ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବାକୁ ଯୋଗ୍ୟତା ହାସଲ କରିଛି ।

ଆଜି ଚତୁର୍ଥ କ୍ୱାର୍ଟର ଫାଇନାଲ୍‌ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ଖେଳୁଥିଲା ଆୟୋଜକ ଭାରତ । ପ୍ରଥମରୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ ମନପ୍ରୀତ ବାହିନୀ । ମ୍ୟାଚ୍‌ର ୧୨ ମିନିଟ୍‌ରେ ଅଧିନାୟକ ମନପ୍ରୀତ ସିଂହଙ୍କ ସଟ୍‌ରୁ ଗୋଲ୍‌ କଲେ ଆକାଶଦୀପ ସିଂହ । ୩ ମିନିଟ୍‌ ପରେ ଏହାକୁ ଥିଏରୀ ବ୍ରିଙ୍କମ୍ୟାନ୍‌ ଶୁଝାଇ ଦେଇଥିଲେ । ଏହା ଭିତରେ ଭାରତ ଉପରେ ଚାପ ବଢ଼ି ଯାଇଥିଲା । ତଥାପି ମଧ୍ୟାନ୍ତର ସୁଦ୍ଧା ସ୍ଥିତି ୧-୧ରେ ରହିଥିଲା ।

ତୃତୀୟ କ୍ୱାର୍ଟର ଖେଳରେ ପୂରା ଚାପ ପକାଇ ଏକାଧିକ ପେନାଲଟି କର୍ଣ୍ଣର ହାସଲ କରିଥିଲା ନେଦରଲାଣ୍ଡସ୍‌ । ତେବେ କୌଣସି ଦଳ ତୃତୀୟ କ୍ୱାର୍ଟରରେ ଗୋଲ୍‌ କରି ପାରି ନଥିଲେ ।

INDIA-NETHERLANDS-2

ଏବେ ନଜର ରହିଥିଲା ଚତୁର୍ଥ ତଥା ଶେଷ କ୍ୱାର୍ଟର ଖେଳ ଉପରେ । ଆରମ୍ଭରୁ ପୂରା ଦମ୍‌ ଲଗାଇ ଆକ୍ରମଣ କରିଥିଲା ଡଚ୍‌ ଦଳ । ଆଉ ୪୭ ମିନିଟ୍‌ରେ ଗୋଲ୍‌କୁ ରେଫରି ମନା କରିଦେବା ପରେ ୫୦ ମିନିଟ୍‌ରେ ଏକ ପେନାଲଟି କର୍ଣ୍ଣରରୁ ଗୋଲ୍‌ ଦେଇଥିଲା ନେଦରଲାଣ୍ଡସ । ସ୍କୋର ପହଞ୍ଚିଥିଲା ୨-୧ରେ । ଏହି ଗୋଲ୍‌ ପରେ ପୂରା ନିରବି ଯାଇଥିଲା ଦର୍ଶକଙ୍କ କୋଳାହଳ । ସେହିଭଳି ଭାରତୀୟ ଖେଳାଳଇଙ୍କ ମନୋବଳ ଭାଙ୍ଗିଗଲା ଭଳି ଲାଗୁଥିଲା । ଆଉ ପୂରା ଉତ୍ସାହର ସହ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା ନେଦରଲାଣ୍ଡସ୍‌ ଦଳ । ୫୨ ମିନିଟ୍‌ରେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୟେଲୋକାର୍ଡ଼ ଦେଖାଇତିଲେ ରେଫରୀ । ଫଳରେ ୧୦ ଜଣଙ୍କୁ ନେଇ ଖେଳିଥିଲା ଭାରତ । ତଥାପି ୫୫ ମିନିଟ୍‌ରେ ଭାରତକୁ ଏକ ପେନାଲଟି କର୍ଣ୍ଣର ପାଇଥିଲା । ହେଲେ ଗୋଲ୍‌ କରି ପାରିନଥିଲା । ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଥିଲେ ବି ହାରି ଯାଇଥିଲା ଭାରତୀୟ ଦଳ । ୧୯୭୫ ପରେ ପ୍ରଥମଥର ସେମିଫାଇନାଲ୍‌କୁ ଯିବା ଲାଗି ଆଶା ରଖିଥିଲା ଭାରତୀୟ ଦଳ । ହେଲେ ନେଦରଲାଣ୍ଡସ ଖେଳାଳିଙ୍କ ଷ୍ଟାମିନା ସହ ସମକକ୍ଷ ହୋଇ ପାରିନଥିଲା । ବିଶ୍ୱ କପ୍‌ରେ ଭାରତ ବିପକ୍ଷରେ ତାର ରେକର୍ଡ଼ ବଜାୟ ରଖି ଅପରାଜେୟ ରହିଛି ଡଚ୍‌ ଦଳ । ତେବେ ଚମତ୍କାର ଖେଳ ପାଇଁ ଭାରତର ସୁରେନ୍ଦର କୁମାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି ।

୧୫ ତାରିଖ ଦିନ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡ ଓ ବେଲଜିୟମ୍‌ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଆସନ୍ତା ୧୬ ତାରିଖ ଦିନ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.