୭୪ ବର୍ଷ ପରେ ବଦନାମ୍ ହେଲା ବିଶ୍ବର ସବୁଠାରୁ ପ୍ରସିଦ୍ଧ ଚୁମ୍ବନ

ଦିନେ ଥିଲା ପ୍ରେମ ଆଉ ରୋମାନ୍ସର ପ୍ରତୀକ । ହେଲେ ଆଜି ତା ଉପରେ ଉଠିବାକୁ ଲାଗିଛି ପ୍ରଶ୍ନର ପାହାଡ । ଏହା ହେଉଛି ଏକ ମୂର୍ତ୍ତିର କାହାଣୀ । ଏହା ହେଉଛି ପ୍ରସିଦ୍ଧ ଷ୍ଟାଚ୍ୟୁ ‘ଅନକଣ୍ଡିସନାଲ୍ ସରେଣ୍ଡର’ ର କାହାଣୀ । ଫ୍ଲୋରିଡାରେ ଯୁଦ୍ଧ ସମୟରେ ଏକ ଐତିହାସିକ ମୁହୂର୍ତ୍ତକୁ ଚୀରସ୍ମରଣୀୟ କରିବା ପାଇଁ ନିର୍ମିତ ହୋଇଥିଲା ଏହି ଷ୍ଟାଚ୍ୟୁ । ହେଲେ କିଛି ଲୋକ ଏହାକୁ କରିଦେଇଛନ୍ତି କ୍ଷତିଗ୍ରସ୍ତ । ଆଉ ମୂର୍ତ୍ତି ଉପରେ ଲେଖି ଦେଇଛନ୍ତି #MeToo ।

ତେବେ ଏହା ଖାଲି ଏକ ଷ୍ଟାଚ୍ୟୁ ନୁହେଁ । ଏହା ପଛର କାହାଣୀ ମଧ୍ୟ ନିଆରା । ଘଟଣା ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରର । ଯୁଦ୍ଧ ପରେ ଯେତେବେଳେ ସମସ୍ତେ ଖୁସିରେ ଉତ୍ସବ ମନାଉଥିଲେ । ଏହି ସମୟରେ ଟାଇମ୍ସ ସ୍କୋୟାରରେ ଗ୍ରେଟା ଫ୍ରେଡମେନ୍ ନାମକ ଜଣେ ନର୍ସ ଛିଡା ହୋଇଥିଲେ । ଆଉ ସେହି ବାଟ ଦେଇଯାଉଥିଲେ ଅମେରିକାର ନାବିକ ଜର୍ଜ ମେଡୋନ୍ସା । ଜର୍ଜ ମନେ ମନେ ଏହା ଭାବି ଖୁବ୍ ଖୁସି ଥିଲେ ଯେ ଯୁଦ୍ଧ ସରିଯାଇଛି, ଏବେ ତାଙ୍କୁ ଆଉ ସମୁଦ୍ର ଯିବାକୁ ପଡିବନି । ତେବେ ଜର୍ଜ ଏତେ ଖୁସି ଥିଲେ ଯେ ସାମ୍ନାରେ ଥିବା ନର୍ସଙ୍କୁ ଜୋରରେ ଧରି କିସ୍ କରିଦେଇଥିଲେ । ଆଉ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଲଫ୍ରଡ୍ ନାମକ ଜଣେ ଫଟୋଗ୍ରାଫର୍ ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ୍ କରିନେଇଥିଲେ। ଏହାର ଏକ ସପ୍ତାହ ପରେ ଏହି ଫଟୋଟି ଏକ ମ୍ୟାଗାଜିନରେ ପ୍ରକାଶିତ ହୋଇଥିଲା । ତେବେ ଚୁମ୍ବନର ଏହି ଫଟୋଟି ଏତେ ଲୋକପ୍ରିୟ ହୋଇଥିଲା ଯେ ପରେ ଏହାର ସ୍ମରଣରେ ଷ୍ଟାଚ୍ୟୁ ନିର୍ମାଣ ହୋଇଥିଲା ।

kiss nurseତେବେ ଏହି ଷ୍ଟାଚ୍ୟୁରେ ଥିବା ନାବିକ ଜର୍ଜଙ୍କର ୯୫ ବର୍ଷ ବୟସରେ ଗତ ସୋମବାର ଦିନ ଦେହାନ୍ତ ହୋଇଛି । ନର୍ସ ଗ୍ରେଟାଙ୍କୁ ମଧ୍ୟ ୯୫ ବର୍ଷ ହୋଇସାରିଲାଣି । ତେବେ ଏକ ସାକ୍ଷାତକାରରେ ଗ୍ରେଟା କହିଥିଲେ ଏହା କୌଣସି ରୋମାଣ୍ଟିକ୍ ମୁହୂର୍ତ୍ତ ନଥିଲା । କାରଣ ଏହି ଚୁମ୍ବନ ତାଙ୍କ ଇଛା ବିରୁଦ୍ଧରେ ହୋଇଥିଲା । ଏପରିକି ସେ ଜାଣିନଥିଲେ ସେ ସମୟରେ ତାଙ୍କ ସହ କଣ ହେବାକୁ ଯାଉଛି । ଜଣେ ବ୍ୟକ୍ତି ହଠାତ୍ ଆସି ତାଙ୍କୁ ଧରି କିସ୍ କରିଥିଲେ ।

ଏବେ ଜର୍ଜଙ୍କ ମୃତ୍ୟୁ ପରେ କିଛି ଲୋକ ଏହି ମାମଲାକୁ #MeToo ସହ ଯୋଡି ଦେଇଛନ୍ତି । ଏବଂ ଷ୍ଟାଚ୍ୟୁ କୁ ଭଙ୍ଗାରୁଜା କରିଛନ୍ତି । ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଥିବା ପର‌୍ୟ୍ୟଟକ ଏହି ମୂର୍ତ୍ତି ସାମ୍ନାରେ ଛିଡା ହୋଇ ସମାନ୍ ପୋଜରେ ଫଟୋ ଉଠାଇଥାନ୍ତି । ତେବେ ଆଜି ଯାଏଁ ଯାହାକୁ ରୋମାଣ୍ଟିକ୍ କିସ୍ ବୋଲି କୁହାଯାଉଥିଲା, ୭୪ ବର୍ଷ ପରେ ପ୍ରଥମ ଥର ତାକୁ ଯୌନ ଉତ୍ପୀଡନ ନଜରରେ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.