ସ୍ୱାମୀ ଛାଡ଼ିଦେଲା, ୨ ଦିନର ଛୁଆକୁ ଡଷ୍ଟବିନ୍‌ରେ ଫିଙ୍ଗିଦେଲା ମା’; ପୋଲିସ ପାଖରେ ପହଞ୍ଚି କହିଲା ଏଭଳି କଥା

କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ମା’ର ମମତାକୁ ବଳି ଦେଇ ନିଜ ଜନ୍ମକଲା ଛୁଆକୁ ଡଷ୍ଟ୍‍ବିନରେ ଫିଙ୍ଗି ଦେଇଛନ୍ତି। ଆଉ ଏହା ପରେ ପୋଲିସ ପାଖରେ ପହଞ୍ଚି ନିଜକୁ ଅସହାୟ ବୋଲି ଦର୍ଶାଇଛନ୍ତି। ଏଥି ସହିତ ମା’ ପୋଲିସକୁ କହିଛି ଯେ ସେ ଛୁଆର ଯତ୍ନ ନେଇ ପାରିବ ନାହିଁ। ତାକୁ ଲାଳନପାଳନ କରି ପାରିବ ନାହିଁ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଥମେ ମତିପୁରା ବସ୍‌ ଷ୍ଟପ୍‌ ନିକଟରେ ଦୁଇ ଦିନର ଏକ ନବଜାତକକୁ ଡଷ୍ଟବିନ୍‌ରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନବଜାତକକୁ ଉଦ୍ଧାର କରିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିଲା।

ତେବେ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିଜ ୨ ଦିନର ନବଜାତକକୁ ଡଷ୍ଟବିନ୍‌ରେ ଫିଙ୍ଗି ଥିବାରୁ ମା’କୁ ନିନ୍ଦା କରିଛନ୍ତି ଲୋକେ। କୁହାଯାଉଛି କି, ପଥଚାରୀମାନେ ଶିଶୁଟିକୁ ଠିକ୍‌ ସମୟରେ ନ ଦେଖିଥିଲେ ସେ ବୁଲା କୁକୁରଙ୍କ ମୁହଁରେ ପଡ଼ି ଯାଇଥାଆନ୍ତା। ବୁଲା କୁକୁରମାନେ ତାକୁ ଝୁଣି ଦେଇ ଥାଆନ୍ତେ।

ସୂଚନା ମୁତାବକ, ମହିଳା ଜଣକ ପୋଲିସ ପାଖରେ ପହଞ୍ଚି ଛୁଆ ଫିଙ୍ଗିବାର କାରଣ ଜଣାଇଥିଲେ। ସେ କହିଥିଲେ ଯେ ସେ ଏକୁଟିଆ। ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଛନ୍ତି ଏବଂ ତାଙ୍କ ପାଖରେ ଆୟର କୌଣସି ସାଧନ ନାହିଁ। ତେଣୁ ସେ ଛୁଆ ପାଳିବାକୁ ପ୍ରସ୍ତୁତ ନାହାନ୍ତି। କାହିଁକି ନା, ସେ ଏହାର ଖର୍ଚ୍ଚ ଉଠାଇ ପାରିବେ ନାହିଁ। ତେବେ ଏ ସମସ୍ତ କଥା ଜାଣିବା ପରେ ସ୍ଥାନୀୟ ପୋଲିସ ଛୁଆଟିକୁ ତାଙ୍କୁ ହସ୍ତାନ୍ତର କରିଛି।

ଏଥି ସହିତ ପୋଲିସ ତାଙ୍କୁ ଚେତାବନୀ ଦେଇଛି ଯେ ଯେ ପର୍ଯ୍ୟନ୍ତ ଛୁଆକୁ ପୋଷ୍ୟ ରୂପେ ଗ୍ରହଣ କରିବା ପାଇଁ କେହି ନ ମିଳିଛନ୍ତି, ସେ ପର୍ଯ୍ୟନ୍ତ ସେ ଛୁଆଟିକୁ ସୁରକ୍ଷିତ ରଖିବେ। ତାକୁ କୌଣସି କ୍ଷତି ପହଞ୍ଚାଇବେ ନାହିଁ। ଏ ସମ୍ବନ୍ଧରେ ପୋଲିସ ଅନ୍ୟାନ୍ୟ ବିଭାଗ ସହ ସମନ୍ଵୟ ସ୍ଥାପନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। କହି ରଖୁଛୁ, ଶିଶୁଟି ବର୍ତ୍ତମାନ ତା’ ମା’ ପାଖରେ ସୁରକ୍ଷିତ ଅଛି। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ କଥା ଉଠାଉଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.