ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ୧୪ଟି ପିଲା ଜନ୍ମ କଲେ ମହିଳା, ବେଲୁନ୍‌ ଭଳି ପେଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ମା’ ହେବା ଯେକୌଣସି ମହିଳାଙ୍କ ପାଇଁ ଏକ ସୁଖଦ ଅନୁଭବ। ୯ ମାସ ଛୁଆକୁ ଗର୍ଭରେ ଧରିବା ପରେ ମହିଳାମାନେ ଜନ୍ମ ପୂର୍ବରୁ ହିଁ ପିଲା ସହ ଯୋଡ଼ି ହୋଇଯାଇଥାନ୍ତି। କିନ୍ତୁ ବେଳେବେଳେ କିଛି ଅଜବ ପ୍ରେଗନାନ୍ସି ମାମଲା ବି ସାମ୍ନାକୁ ଆସିଥାଏ, ଯାହା କ୍ରମେ ଚର୍ଚ୍ଚାର ପରିସରକୁ ଆସେ। ସେଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ୨୦୦୯ ମସିହାରେ ଆମେରିକାରେ। ଏଠାରେ ଜଣେ ମହିଳା ଏକକାଳୀନ ୮ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଥିଲେ।

Octomom
Photo Credit: in touch weekly

୪୫ ବର୍ଷୀୟା ନାଦ୍ୟା ସୁଲେମାନ୍‌ ନିଜ ୮ଟି ପିଲାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ସେ କହିଛନ୍ତି, ତାଙ୍କ ପିଲା ଦୁନିଆର ସବୁଠୁ ଭଲ ପିଲା ଓ ତାଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ନାଦ୍ୟା ୨୦୦୯ ମସିହାରେ ଏକାଠି ୮ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କର ୬ଟି ପିଲା ଥିଲେ। ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ଆଇବିଏଫ୍‌ ସହାୟତାରେ ସେ ପୁଣିଥରେ ଗର୍ଭଧାରଣ କରିଥିଲେ। କିନ୍ତୁ ଡାକ୍ତର ତାଙ୍କ ଗର୍ଭରେ ଏକକାଳୀନ ୧୨ଟି ଭ୍ରୁଣ ଟ୍ରାନ୍ସଫର କରିଥିଲେ। ସେଥିରୁ ୮ଟି ପିଲା ଜନ୍ମ ହୋଇଥିଲେ।

ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। କାରଣ ନିୟମ ମୁତାବକ, ଜଣେ ମହିଳାଙ୍କ ଗର୍ଭରେ ସର୍ବାଧିକ ୩ଟି ଭ୍ରୁଣ ଟ୍ରାନ୍ସଫର କରାଯାଇପାରିବ। ମାତ୍ର ଡାକ୍ତର ନାଦ୍ୟାଙ୍କ ଗର୍ଭରେ ଏକାଠି ୧୨ଟି ଭ୍ରୁଣ ଟ୍ରାନ୍ସଫର କରିଥିଲେ। ଏଣୁ ଡାକ୍ତରଙ୍କ ଲାଇସେନ୍ସ ବି ରଦ୍ଦ କରାଯାଇଛି।

octomom
Photo Credit: Daily mail

ଅନ୍ୟପଟେ ଏକକାଳୀନ ଏତେ ପିଲାଙ୍କ ଡେଲିଭରି ବେଳେ ୪୬ ଜଣ ଡାକ୍ତର ଓ ନର୍ସ ସାହାଯ୍ୟ କରିଥିବା କହିଛନ୍ତି ନାଦ୍ୟା। ୩୧ ସପ୍ତାହରେ ତାଙ୍କ ଡେଲିଭରି ହୋଇଥିଲା। ତେବେ ବର୍ତ୍ତମାନ ନାଦ୍ୟାଙ୍କ ପିଲାଙ୍କୁ ୧୨ ବର୍ଷ ଓ ସମସ୍ତେ ସୁସ୍ଥ ଅଛନ୍ତି। ସେ କହିଛନ୍ତି, ସମସ୍ତ ପିଲାଙ୍କୁ ସେ ଭଲ ଶିକ୍ଷା ଦେବେ। ତେବେ ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ଏତେ ପିଲାଙ୍କୁ ଏକାକୀ ପାଳିବା ତାଙ୍କ ପକ୍ଷେ କଷ୍ଟକର ବ୍ୟାପାର ଥିଲା। ନାଦ୍ୟା କହିଛନ୍ତି, ତାଙ୍କ ଦିନର ଅଧାରୁ ଅଧିକ ସମୟ ପିଲାଙ୍କ ପାଇଁ ଖାଇବା ତିଆରି କରିବାରେ କଟୁଛି। ତେବେ ନିଜ ପିଲାଙ୍କୁ ନେଇ ନାଦ୍ୟା ବେଶ୍‌ ଖୁସି ଅଛନ୍ତି ବୋଲି କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.