ପ୍ରଥମ ଥର ପାଇଁ ୟୁଏନ୍‌ଏସ୍‌ସି ର ଅଧ୍ୟକ୍ଷ ହେଲା ଭାରତ, ସୁରକ୍ଷା ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦର(ୟୁଏନ୍‌ଏସ୍‌ସି) ସଭାପତି ଭାବେ ଦାୟିତ୍ୱ ତୁଲାଇବେ । ଆଜିଠାରୁ ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ୱ ନେବାକୁ ଯାଉଛି ଭାରତ । ଏଥିରେ ପ୍ରଧାନମନ୍ତ୍ରୀ ସଭାପତିତ୍ୱ ଦାୟିତ୍ୱ ତୁଲାଇବେ । ଆଗାମୀ ମାସକ ଯାଏ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ । ପ୍ରଥମ ଥର ପାଇଁ ଭାରତର କେହି ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ୱ ତୁଲାଇବବେ ।

ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ରାଜନୈତିକ ନେତୃତ୍ୱ ୟୁଏନ୍‌ଏସ୍‌ସି ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ । ଜାତିସଂଘରେ ଭାରତର ପ୍ରତିନିଧି ଟି.ଏସ୍‌ ତିରୁମୂର୍ତ୍ତି ଙ୍କ ସୂଚନାନୁଯାୟୀ ଏହି ମାସକ ମଧ୍ୟରେ ଭାରତ ୩ଟି ହାଇଲେବଲ ମିଟିଂ କରିବାକୁ ଯାଉଛି । ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ଶାନ୍ତି ସ୍ଥାପନା ଓ ଆତଙ୍କବାଦ ମୁକାବିଲା ଭଳି ବିଷୟରେ ଆଲୋଚନା ହେବ । ଏହା ପୂର୍ବରୁ ୧୯୯୨ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହାରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ଯାହାକି ଭାରତ ପାଇଁ ଏକ ଏତିହାସିକ ବିଷୟ ହେବ ।

ଅଗଷ୍ଟ ୯ରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିବେ । ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ମଧ୍ୟ ଏଥିରେ ଯୋଗଦେବେ । ଏହି ବୈଠକ ଯଦିଓ ଭର୍ଚୁଆଲ ଭାବେ ହେବ, ତଥାପି ଏହା ଭାରତ ପାଇଁ କମ୍‌ ଗର୍ବର କଥା ନୁହେଁ ବୋଲି ତିରୁମୂର୍ତ୍ତି କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଅସ୍ଥାୟୀ ସଦସ୍ୟ ଭାବେ ଭାରତର ୨ ବର୍ଷ କାର୍ଯ୍ୟକ୍ରମ ୨୦୨୧ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଛି । ଜାତିସଂଘରେ ୧୫ ଦେଶ ସାମିଲ ଅଛନ୍ତି । ଯେଉଁଥିରେ ୫ ସ୍ଥାୟୀ ସଦସ୍ୟ ଓ ୧୦ ଅସ୍ଥାୟୀ ସଦସ୍ୟ ଭାବେ ରହିଛନ୍ତି । ଜାତିସଂଘରେ ଚୀନ୍‌,ଫ୍ରାନ୍ସ, ଋଷ, ବ୍ରିଟେନ୍‌ ଓ ଆମେରିକା ସ୍ଥାୟୀ ସଦସ୍ୟ ଥିବାବେଳେ ଭାରତ ଅସ୍ଥାୟୀ ସଦସ୍ୟ ଭାବେ ରହିଛି । ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ପ୍ରତି ୨ ବର୍ଷରେ ନିର୍ବାଚନ ହୋଇଥାଏ । ତେବେ ଦୀର୍ଘ ଦିନ ଧରି ସ୍ଥାୟୀ ସଦସ୍ୟ ହେବାକୁ ଦାବି କରି ଆସୁଛି । ଭାରତର ଦାବିକୁ କେତେକ ଦେଶ ମଧ୍ୟ ସମର୍ଥନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.