ସାରା ଦେଶରେ ରାଜନୀତିର ତାତି : ନଜର ପକାଇବା କେଉଁଠି କଣ ଚାଲିଛି

ମାର୍ଚ୍ଚ ମାସରେ ତାତି ପୂରା ଦମ୍‌ରେ ଆସି ନାହିଁ । କେଉଁଠି ବର୍ଷା ତ ଆଉ କେଉଁଠି ବରଫ ପାତ ହେଉଛି । ହେଲେ ଏଇ ପ୍ରାକୃତିକ ପାଣିପାଗ ଭିତରେ ସାରା ଦେଶରେ ବହୁଛି ନିର୍ବାଚନୀ ଲୁ । ନିର୍ବାଚନ ତାରିଖ ପାଖେଇବା ସହ ଏବେ ସରଗରମ ରାଜନୀତି । କିଏ ଦଖଲ କରିବ ଦିଲ୍ଲୀ ଗାଦି? ମୋଦି ମ୍ୟାଜିକ ନା ରାହୁଲ ଯାଦୁ କାମ କରିବ? ତାକୁ ନେଇ ଏବେଠୁ ଚାଲିଲାଣି ନାନା ଚର୍ଚ୍ଚା । ଏବେ ଆସନ୍ତୁ ନଜର ପକାଇବା କେଉଁ ଦଳ ଏନଡିଏ ଓ ୟୁପିଏରେ ଅଛନ୍ତି । ଆଉ କେଉଁ ପାର୍ଟି ଦୁଇ ମେଣ୍ଟ ଠାରୁ ସମଦୂରତା ରଖିଆସୁଥିବା ବେଳେ ନୂଆ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ।
ଡିଏମକେ- ଏମ. କରୁଣାନିଧିଙ୍କ ପରଲୋକ ପରେ ତାମିଲନାଡୁର ଡିଏମକେ ମଙ୍ଗ ଧରିଛନ୍ତି ଏମ.କେ ଷ୍ଟାଲିନ । କଂଗ୍ରେସ ସହ ଦଳ ମେଣ୍ଟ କରିଛି । ଆର୍ଥିକ ଅନଗ୍ରସର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଷ୍ଟାଲିନ ବିରୋଧ କରି ବିଜେପି ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଡିଏମକେ ଏନଡିଏର ଅଂଶୀଦାର ଥିଲା । ତେବେ କେନ୍ଦ୍ରରେ ଫେଡରାଲ ଫ୍ରଣ୍ଟ କିମ୍ବା କଂଗ୍ରେସ ସରକାରକୁ ଡିଏମକେ ସମର୍ଥନ କରିବ । ଏମଡିଏମକେ- ତାମିଲନାଡୁରେ ଏମଡିଏମକେର ସେତେଟା ଦବଦବା ନାହିଁ । କରୁଣାନିଧିଙ୍କ ସହ ଏମଡିଏମକେ ମୁଖିଆ ଭାଇକୋ ସଂପର୍କ ଚ୍ଛିନ୍ନ କରିଥିଲେ । ଏବେ ଷ୍ଟାଲିନ କଂପାନୀରେ ଭାଇକୋ । ପୂର୍ବରୁ ଏନଡିଏ ପାର୍ଟନର ଥିଲେ ମଧ୍ୟ ଏବେ ମୋଦି କ୍ୟାମ୍ପକୁ ଭାଇକୋ ଯିବାର ସମ୍ଭାବନା ନାହିିଁ ।

NATIONAL-1
ଏନସି- ଜାମ୍ମୁ ଓ କାଶ୍ମୀରର ନ୍ୟାସନାଲ କନଫରେନ୍ସ-ଏନସି ବିଜେପିର ତୀବ୍ର ବିରୋଧୀ । ଫେଡରାଲ ଫ୍ରଣ୍ଟ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଏନସି ମୁଖ୍ୟ ଓମାର ଅବଦୁଲ୍ଲା ସମର୍ଥନ କରିପାରନ୍ତି । ଆରଜେଡି-ଗୋଖାଦ୍ୟ ଦୁର୍ନୀତି ମାମଲାରେ ବହୁ ଦିନ ଧରି ଜେଲରେ ଥିବା ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଜଣେ ରଙ୍ଗିନ ମିଜାଜର ରାଜନେତା । ସେ ମୋଦି ବିରୋଧୀ । ଏନଡିଏ ନୁହେଁ କଂଗ୍ରେସ ନେତୃତ୍ୱଧୀନ ସରକାର ତାଙ୍କର ପ୍ରଥମ ପସନ୍ଦ । ଲାଲୁଙ୍କ ସେକେଣ୍ଡ ଚଏସ ଫେଡେରାଲ ଫ୍ରଣ୍ଟ । ଜେଡିଏସ-ପୂର୍ବରୁ ବିଜେପି ସହ ଜେଡିଏସର ମେଣ୍ଟ ଥିଲା । ଏବେ କଂଗ୍ରେସ ସହ ମେଣ୍ଟ କରି କର୍ଣ୍ଣାଟକ ଶାସନ ଗାଦିରେ ବସିଛନ୍ତି ଏଚ.ଡି କୁମାରସ୍ୱାମୀ । ଯଦି କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ସରକାର ଗଠନ ନକରେ ତେବେ କୁମାରସ୍ୱାମୀ ଫେଡରାଲ ଫ୍ରଣ୍ଟକୁ ସମର୍ଥନ କରିବେ ।
ଏନସିପି- ଏନସିପି ମୁଖ୍ୟ ଶରଦ ପାୱାର ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିସାରିଛନ୍ତି । ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟ ରହିଛି । କଂଗ୍ରେସ ସରକାର ଗଠନ କଲେ ଏନସିପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କୁହାଯାଉଛି ।
ପିଏମକେ-ତାମିଲନାଡୁର ଆଞ୍ଚଳିକ ଦଳ ପିଏମକେ ଏବେ ଏଆଇଏଡିଏମକ-ବିଜେପି କ୍ୟାମ୍ପରେ । ପୂର୍ବରୁ ୟୁପିଏ ଓ ଏନଡିଏର ଅଂଶୀଦାର ଦଳ ଥିଲା । ଯଦି ଏନଡିଏ ପୁଣି କ୍ଷମତାକୁ ନ ଆସେ ତେବେ ପିଏମକେ ମୁଖ୍ୟ ଆର. ରାମଦୋସ ନିଜ ପସନ୍ଦ ବଦଳାଇବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ।
ଜେଡିୟୁ- ବିହାରରେ ମହାମେଣ୍ଟକୁ ଛାଡ଼ିବା ପରେ ନୀତୀଶ କୁମାର ଏନଡିଏ କ୍ୟାମ୍ପରେ ଅଛନ୍ତି । ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନୀତୀଶ । ଲୋକସଭା ନିର୍ବାଚନ ପାଇଁ ଜେଡିୟୁ-ବିଜେପି ମଧ୍ୟରେ ଆସନ ବୁଝାମଣା ସରିଛି । ଯଦି ବିଜେପି ବହୁମତଠାରୁ ଦୂରରେ ରୁହେ ତେବେ ଡାର୍କହର୍ସ ଭାବେ ଉଭା ହୋଇପାରନ୍ତି ନୀତୀଶ କୁମାର । ଏଲଜେପି-ଚତୁର ରାଜନେତା ରାମବିଳାସ ପାଶ୍ୱାନ । କେବେ ୟୁନାଇଟେଡ ଫ୍ରଣ୍ଟରେ ତ କେବେ ୟୁପିଏରେ ପୁଣି କେବେ ଏନଡିଏରେ । ରାଜନୀତି ପାଣିପାଗ ଠଉରାଇ ଶିବିର ବଦଳାଇ କେନ୍ଦ୍ରରେ ବିଭିନ୍ନ ସରକାରରେ ମନ୍ତ୍ରୀ ହୋଇଛନ୍ତି ଏଲଜେପି ମୁଖିଆ ରାମବିଳାସ ପାଶ୍ୱାନ । ତେଣୁ ସେ କେତେବେଳେ କେଉଁ ଆଡ଼କୁ ଢଳିବେ କିଛି କହିହେବ ନାହିଁ ।

NATIONAL-3

ଶିବସେନା-ଏନଡିଏ ଅଂଶୀଦାର ଶିବସେନା । ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ସରକାର ଚାଲିଛି । ହେଲେ ବିଭିନ୍ନ ସମୟରେ ମୋଦିଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏଆଇଏଡିଏମକେ- ତାମିଲନାଡୁରେ ଏଆଇଏଡିଏମକ ସରକାରର ମୁଖ୍ୟମନ୍ତ୍ରୀ ଅଛନ୍ତି କେ. ପଲାନିସ୍ୱାମୀ । ଜୟଲଳିତାଙ୍କ ପରଲୋକ ପରେ ଦଳ ଏକପ୍ରକାର ଦିଗହରା ହୋଇପଡ଼ିଥିଲା । ଲୋକସଭା ନିର୍ବାଚନ ପାଇଁ ବିଜେପି-ଏଆଇଏଡିଏମକେ-ପିଏମକେ-ଏମଡିଏମକେ ମେଣ୍ଟ କରିଛନ୍ତି । ବିରୋଧୀ ଡିଏମକେ ପାଇଁ ୟୁପିଏ କିମ୍ବା ଫେଡରାଲ ଫ୍ରଣ୍ଟକୁ ଏଆଇଏଡିଏମକେ ଯିବନାହିଁ ।

ଅକାଳୀ ଦଳ-ବିଜେପିର ପୁରୁଣା ବନ୍ଧୁ ଶିରୋମଣି ଅକାଳୀ ଦଳ । ପଞ୍ଜାବରେ ଏବେ ଦଳ କ୍ଷମତାରେ ନାହିଁ । ତେବେ ଏନଡିଏର ସହଯୋଗୀ ଦଳ ଭାବେ ରହିଆସିଛି । ଏମିତିବି କିଛି ରାଜନୈତିକ ଦଳ ଅଛନ୍ତି ଯେଉଁମାନେ କଦାପି ବିଜେପିକୁ ସମର୍ଥନ କରିବେନାହିଁ । ସେମାନେ ହେଲେ ସିପିଏମ-ବିରୋଧୀଙ୍କୁ ଏକାଠି କରିବାରେ ସିପିଏମ ମୁଖ୍ୟ ସୂତ୍ରଧର । ହେଲେ ଜାତୀୟ ସ୍ତରରେ ମେଣ୍ଟକୁ ଏହା ସମର୍ଥନ କରେ ନାହିଁ । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ବୁଝାମଣା କରିପାରେ । କିନ୍ତୁ ତୃଣମୂଳ କଂଗ୍ରେସ ଅଂଶୀଦାର ଥିବାରୁ ବିଧିବଦ୍ଧ ଭାବେ ବିରୋଧୀ ମେଣ୍ଟରେ ସିପିଏମ ସାମିଲ ହେବାକୁ ସୀତାରାମ ୟେଚୁରୀ ଅନିଚ୍ଛୁକ ।

ପିଡିପି-ଜାମ୍ମୁ-କାଶ୍ମୀରରେ ବିଜେପି ହାତ ଛାଡ଼ି ଦେବାରୁ ପିଡିପିକୁ ଶକ୍ତ ଧକ୍କା ଲାଗିଛି । ଏଥିଯୋଗୁଁ ମେହବୁବା ମୁଫତି ସରକାର ଭାଙ୍ଗି ଯାଇଥିଲା । ତେଣୁ ପିଡିପି ଆଉ ବିଜେପି ସହ ଯୋଡ଼ିହେବାର ପ୍ରଶ୍ନ ଉଠୁନାହିଁ । ସେହିପରି ଏନସି ସହ ଦଳ ମଧ୍ୟ ବୁଝାମଣା କରିବ ନାହିଁ ।ଆପ୍‌-କଂଗ୍ରେସ ସହ ପ୍ରାକ-ନିର୍ବାଚନୀ ମେଣ୍ଟ କରିବା ପାଇଁ ଆପ୍‌ ଉଦ୍ୟମ କରି ବିଫଳ ହୋଇଛି । ହେଲେ ବୁଝାମଣା ପାଇଁ ଦ୍ୱାର ଖୋଲା ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ଫେଡରାଲ ଫ୍ରଣ୍ଟକୁ କେଜ୍ରିୱାଲ ସମର୍ଥନ କରନ୍ତି ।

ଆଉ କିଛି ଆଞ୍ଚଳିକ ରାଜନୈତିକ ଦଳ ଅଛନ୍ତି ଯେଉଁମାନେ ନିରପେକ୍ଷ କିନ୍ତୁ ଏନଡିଏ କିମ୍ବା ୟୁପିଏକୁ ଢଳି ପାରନ୍ତି । ଟିଆରଏସ- ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବାଜି ମାରିଥିଲା ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ । ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୧୭ଟି ଲୋକସଭା ଆସନରେ ଦଳ ଏକାକୀ ଲଢ଼ି ନିଜ ଦବଦବା ଜାହିର କରିବାକୁ ଆଶା ରଖିଛି। ନିର୍ବାଚନ ଫଳାଫଳ ପରେ ଏନଡିଏ, ୟୁପିଏ କିମ୍ବା ଫେଡରାଲ ଫ୍ରଣ୍ଟ ସହ ହାର୍ଡ ବାର୍ଗେନିଂ କରିପାରନ୍ତି କେ. ଚନ୍ଦ୍ରଶେଖର ରାଓ ।
ବିଜେଡି- ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିଆସିଛି ବିଜେଡି । ଓଡ଼ିଶାରେ ୧୯ ବର୍ଷ ଧରି ଚାଲିଛି ବିଜେଡି ସରକାର । ଏଥର ରାଜ୍ୟରେ ଲୋକସଭା ସହ ଏକସଙ୍ଗେ ବିଧାନସଭା ନିର୍ବାଚନ ହେବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ କିମ୍ବା ୟୁପିଏ ଶିବିରକୁ ନ ଯାଇ ନିରପେକ୍ଷ ରହିବାକୁ ପସନ୍ଦ କରିଛନ୍ତି ।

ୱାଇଏସଆର -ୱାଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ । ଟିଡିପି ଯେଉଁ ମେଣ୍ଟରେ ରହିବ ସେଥିରେ ସାମିଲ ହେବନି ୱାଇଏସଆର । ଏନଡିଏ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରିବାରେ ଜଗନମୋହନଙ୍କ କିଛି ଅସୁବିଧା ନାହିଁ । ଏପରିକି ଦଳ ଭଲ ଫଳାଫଳ କଲେ କଂଗ୍ରେସ ସହ ୱାଇଏସଆର ମୁଲଚାଲ କରିପାରେ ।
ତେବେ ନିର୍ବାଚନ ଫଳାଫଳ ପରେ କେଉଁ କେଉଁ ଦଳ ଏନଡିଏ, ୟୁପିଏ କିମ୍ବା ଫେଡରାଲ ଫ୍ରଣ୍ଟରେ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.