OTT ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ପାଇଁ ନୂଆ ଗାଇଡଲାଇନ୍‌, ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

OTT ପ୍ଲାଟଫର୍ମରେ ତମାଖୁ ଚେତାବନୀ ଦେଖାଇବା ପାଇଁ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ରଖିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ରହିଛି ।ଯଦି କେହି ଏହାକୁ ଅମାନ୍ୟ କରନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି ।

ନୂଆ ଗାଇଡଲାଇନ ଅନୁଯାୟୀ, ଏଣିକି ଓଟିଟି ପ୍ଲାଟଫର୍ମରେ କୌଣସି ବି କଣ୍ଟେଣ୍ଟ ବା କାର୍ଯ୍ୟକ୍ରମର ଆରମ୍ଭରେ ଏବଂ ମଝିରେ ତମାଖୁ ଚେତାବନୀ ଦେଖାଇବାକୁ ହେବ । ଅତିକମରେ ୩୦ ସେକେଣ୍ଡର ତମାଖୁ ବିରୋଧୀ ସଚେତନତା ରହିବ । ଏହାଛଡା ସ୍କ୍ରିନ ତଳେ ଏକ ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ଚେତାବନୀ ମଧ୍ୟ ପ୍ରଦର୍ଶିତ କରିବାକୁ ହେବ । ତମାଖୁର ହାନିକାରକ ପ୍ରଭାବ ବିଷୟରେ ମଧ୍ୟ ଲେଖିବାକୁ ହେବ । ଏହା ସବୁ ପ୍ଲାଟଫର୍ମ ପାଇଁ ବାଧ୍ୟତାମୂଳକ, ଆଉ ଯଦି ଏହି ନିୟମ ନମାନନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

ଏ ପର୍ଯ୍ୟନ୍ତ କେବଳ ଫିଲ୍ମ କିମ୍ବା ଟିଭି ଶୋ’ରେ ତମାଖୁ ଚେତାବନୀ ଦେଖାଇବା ନିୟମ ରହିଛି । କିନ୍ତୁ ଓଟିଟି ପ୍ଲାଟଫର୍ମକୁ ନେଇ କୌଣସି ନିୟମ ନଥିଲା । ହେଲେ ଏବେ ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟକ୍ରମରେ ଆରମ୍ଭରେ ଏବଂ ମଝିରେ ତମାଖୁ ସହ ଜଡ଼ିତ ସତର୍କତାମୂଳକ ଚେତାବନୀ ଦେଖାଇବାକୁ ହେବ ।

ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା କଣ୍ଟେଣ୍ଟରେ ତମାଖୁ ଉତ୍ପାଦର ବ୍ୟବହାର ନେଇ ଅନେକ ଅଭିଯୋଗ ହୋଇଥିଲା । ଯାହା ପରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.