ବିଶ୍ୱର ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲେ ଏଲନ ମସ୍କ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ବ୍ଲୁମବର୍ଗ ଜାରି କରିଥିବା ରିପୋର୍ଟ ଅନୁସାରେ ଏଲନ ମସ୍କ ୧୯୨ ବିଲିିଅନ ଡଲାର ସମ୍ପତ୍ତିର ମାଲିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଅର୍ନାଲ୍ଟଙ୍କ ସମ୍ପତ୍ତିରେ କ୍ଷତି ହୋଇ ଏହା ୧୮୭ ବିଲିଅନ ଡଲାର ହିଁ ରହିଛି । ତୃତୀୟ ସ୍ଥାନ ଅଧିକାର କରିଥିବା ଜେଫ ବେଜୋସଙ୍କ ସମସ୍ତ ସମ୍ପତ୍ତି ୧୪୪ ବିଲିଅନ ଡଲାର ଥିବା ଜଣା ପଡ଼ିଛି ।

(କେନ୍ୟୁଜ ବ୍ୟୁରୋ): ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ହୋଇଛି ବଡ଼ ପରିବର୍ତ୍ତନ । ବିଶ୍ୱର ସବୁଠାରୁ ଧନୀ ତାଲିକା ପ୍ରତିଯୋଗିତାରେ ପୁଣି ଥରେ ଏଲନ ମସ୍କ ନିଜର ସ୍ଥାନ ଅଧିକାର କରିଛନ୍ତି । ବର୍ନାର୍ଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏଲନ ମସ୍କ ଏହି ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ଟ୍ରେଡିଂଗ ରେ ଅର୍ନାଲ୍ଟଙ୍କ ସମ୍ପତ୍ତି ରେ ୨.୬ ପ୍ରତିଶତ କ୍ଷତି ଦେଖାଯାଇଛି । ଟେସ୍ଲା, ସ୍ପେସଏକ୍ସ ଏବଂ ଟ୍ଵିଟର ଭଳି କମ୍ପାନୀ ର ମାଲିକ ଏଲନ ମସ୍କଙ୍କ ନିକଟରେ ୧୯୨ ବିଲିଅନ ଡଲାର ସମ୍ପତ୍ତି ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଏଲନ ମସ୍କଙ୍କ ସମ୍ପତ୍ତି ରେ ୧.୯୮ ବିଲିଅନ ଡଲାର ଲାଭ ହୋଇଛି । ଅନ୍ୟପଟେ ଅର୍ନାଲ୍ଟଙ୍କ ସମ୍ପତ୍ତିରେ ୫.୩୫ ବିଲିଅନ ଡଲାର କ୍ଷତି ଘଟିଛି । ସୂଚନା ଅନୁସାରେ ଗତ ବର୍ଷ ଡିସେମ୍ବର ମାସରେ ଫ୍ରାନ୍ସିସି ବିଲିନିୟର ବର୍ନାର୍ଡ ଅର୍ନାଲ୍ଟ ଙ୍କ ସମ୍ପତ୍ତି ତୁଳନାରେ ଏଲନ ମସ୍କଙ୍କ ସମ୍ପତ୍ତି ଅଧିକ ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ଥରେ ଏଲନ ମସ୍କ ଚର୍ଚ୍ଚାକୁ ଆସିଛନ୍ତି । ଗତ ବର୍ଷ ଟ୍ଵିଟର ର ଅଧିଗ୍ରହଣ ଏବଂ ହଜାର ହଜାର କର୍ମଚାରୀଙ୍କ ଛଟେଇ ଯୋଗୁଁ ମସ୍କ ବିବାଦ ଘେରକୁ ଆସିଥିଲେ । ଏହା ସହିତ ଟେସ୍ଲାରେ ମଧ୍ୟ କ୍ଷତି ହୋଇଥିଲା । ଏହାର ପ୍ରଭାବ ମସ୍କଙ୍କ ସମ୍ପତ୍ତି ଉପରେ ପଡ଼ିଥିଲା ।

ବ୍ଲୁମବର୍ଗ ଜାରି କରିଥିବା ରିପୋର୍ଟ ଅନୁସାରେ ଏଲନ ମସ୍କ ୧୯୨ ବିଲିିଅନ ଡଲାର ସମ୍ପତ୍ତିର ମାଲିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଅର୍ନାଲ୍ଟଙ୍କ ସମ୍ପତ୍ତିରେ କ୍ଷତି ହୋଇ ଏହା ୧୮୭ ବିଲିଅନ ଡଲାର ହିଁ ରହିଛି । ତୃତୀୟ ସ୍ଥାନ ଅଧିକାର କରିଥିବା ଜେଫ ବେଜୋସଙ୍କ ସମସ୍ତ ସମ୍ପତ୍ତି ୧୪୪ ବିଲିଅନ ଡଲାର ଥିବା ଜଣା ପଡ଼ିଛି ।

ବିଲିନିଅର ମାନଙ୍କ ତାଲିକାରେ ବିଲ୍‌ ଗେଟ୍‌ସ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ହାରାହାରି ସମ୍ପତ୍ତି ୧୨୫ ବିଲିଅନ ଡଲାର ରହିଛି । ଲୈରୀ ଏଲିସନ ୧୧୮ ବିଲିଅନ ଡଲାର ସମ୍ପତ୍ତି ସହିତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଷ୍ଟିଭ ବାଲ୍ମର ୧୧୪ ବିଲିଅନ ଡଲାର ସମ୍ପତ୍ତିର ଅଧିକାରୀ ଭାବେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସପ୍ତମ ସ୍ଥାନରେ ଓ୍ଵାରେନ ବଫେଟ (୧୧୨ ବିଲିଅନ ଡଲାର) ଏବଂ ଅଷ୍ଠମ ସ୍ଥାନରେ ଲୈରୀ ପେଜ୍‌ (୧୧୧ ବିଲିଅନ ଡଲାର ) ରହିଛନ୍ତି । ଏହି ପରି ନବମ ସ୍ଥାନରେ ସର୍ଗେଇ ବ୍ରିନଙ୍କ ନିକଟରେ ୧୦୬ ବିଲିଅନ ଡଲାର ଏବଂ ଦଶମ ସ୍ଥାନରେ ମାର୍କ ଜୁକର ବର୍ଗଙ୍କ ନିକଟରେ ୯୬.୫ ବିଲିଅନ ଡଲାର ସମ୍ପତ୍ତି ରହିଛି ।