ଅନ୍ତର୍ଜାତୀୟ ଉଡ଼ାଣ ପାଇଁ କୋହଳ ହେଲା ନିୟମ: ଆଉ ପିପିଇ କିଟ୍‌ ପିନ୍ଧିବେନି କ୍ରୁ ମେମ୍ବର୍ସ କିନ୍ତୁ ମାନିବେ ଏସବୁ ସର୍ତ୍ତ

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ସକୁ ନେଇ କୋଭିଡ୍‌-୧୯ର ଗାଇଡ୍‌ଲାଇନ୍‌ ଜାରି କରିଛି। ନୂଆ ସଂଶୋଧିତ ଗାଇଡ୍‌ଲାଇନ୍‌ ମୁତାବକ, ଅନ୍ତର୍ଜାତୀୟ ଉଡ଼ାଣରେ ୩ ସିଟ୍‌କୁ ଖାଲି ରଖିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ପାଇଁ ପିପିଇ କିଟ୍‌ ପିନ୍ଧିବା ଆବଶ୍ୟକତାକୁ ବି ହଟାଇ ଦିଆଯାଇଛି। ଏବେ ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ପେଟ୍‌ଡାଉନ୍‌ ସର୍ଚ୍ଚ ବା ଫିଜିକାଲ ସର୍ଚ୍ଚକୁ ପୁଣିଥରେ ଆରମ୍ଭ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ନୂଆ କରୋନା ଗାଇଡ୍‌ଲାଇନ୍‌ ମୁତାବକ, ଯାତ୍ରୀମାନେ ଏୟାରପୋର୍ଟ ପରିସର ଓ ଫ୍ଲାଇଟ୍‌ ଭିତରେ ମାସ୍କ ପିନ୍ଧିବା ନିୟମ ଏବେ ବି ବଜାୟ ରହିବ।

ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ପରେ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍‌ ୨୭ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣ ଏବେ ପୂର୍ବାପେକ୍ଷା କମିଥିବାରୁ ଏହି ଉଡ଼ାଣ ଆରମ୍ଭ ହୋଇଛି। କିନ୍ତୁ ଯାତ୍ରୀଙ୍କୁ ଏବେ ବି କେତେକ ନିୟମ ପାଳନ କରିବାକୁ ହେବ। କରୋନା ଯୋଗୁ ମାର୍ଚ୍ଚ ୨୦୨୦ରୁ ନିୟମିତ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗୁ ଥିଲା।

ନିକଟରେ ନାଗରିକ ଉଡ଼ାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଘୋଷଣା କରିଥିଲେ ଯେ ଏୟାର ବବଲ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରାଯାଇଛି। ସେ ସମର ସିଡ୍ୟୁଲ ୨୦୨୨ ଆରମ୍ଭରୁ କମର୍ସିଆଲ ଇଣ୍ଟରନ୍ୟାସନାଲ ପାସେଞ୍ଜର ସର୍ଭିସକୁ ପୁଣିଥରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ଡିଜିସିଏ ପକ୍ଷରୁ ମାର୍ଚ୍ଚ ୨୦୨୦ରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଅନ୍ତର୍ଜାତୀୟ ଉଡ଼ାଣକୁ ରଦ୍ଦ କରାଯାଇଥିଲା। ସେହି ସମୟରେ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ନୂଆ ରୋଗ ଥିଲା। ଯାହା ବିଷୟରେ କାହାର କିଛି ବି ଜ୍ଞାନ ନଥିଲା। ଏଣୁ ବ୍ୟକ୍ତିରୁ ବ୍ୟକ୍ତିକୁ ସଂକ୍ରମଣ ରୋକିବାକୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.