ମାର୍ଚ୍ଚ ୩ରେ ହୋଇନପାରେ ନିର୍ଭୟା ଦୋଷୀଙ୍କୁ ଫାଶୀ, ଜାଣନ୍ତୁ କାହିଁକି
ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ହେବ କି ଏକାଠି ସେ ନେଇ କେନ୍ଦ୍ର ତରଫରୁ କରାଯାଇଥିବା ପିଟିସନ୍କୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଶୁଣାଣିକୁ ଟାଳିବା ପରେ ୩ ମାର୍ଚ୍ଚରେ ୪ ଦୋଷୀଙ୍କୁ ଫାଶୀ ହେବା ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ସୂଚନାଯୋଗ୍ୟ ଯେ ତିନି ଦୋଷୀଙ୍କ ସମସ୍ତ ଆଇନତଃ ବିକଳ୍ପ ଶେଷ ହୋଇଯାଇଛି ଓ ଚତୁର୍ଥ ଦୋଷୀ ପବନ ନିଜ ବିକଳ୍ପକୁ ବ୍ୟବହାର କରିବାକୁ ଇଚ୍ଛୁକ ନ ଥିବା ଜଣାଯାଇଛି। ଏଭଳି ସ୍ଥିତିରେ ମାର୍ଚ୍ଚ ୩ ତାରିଖରେ ଫାଶୀ ହେବା ଏକ ପ୍ରକାର ନିଶ୍ଚିତ ଥିବା ଜଣାଯାଇଛି।
ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠରେ ସକାଳ ୧୦.୩୦ରେ ଏହି ମାମଲାର ଶୁଣାଣି ହୋଇଛି। ଜଷ୍ଟିସ୍ ଭାନୁମତି ଛୁଟିରେ ଥିବାରୁ ଗତ ସପ୍ତାହରେ ଏନେଇ ଶୁଣାଣି ହୋଇପାରିନଥିଲା। ଏହି ମାମଲାରେ କୋର୍ଟ ପୂର୍ବରୁ ହିଁ ୪ ଦୋଷୀଙ୍କୁ ନୋଟିସ୍ ଜାରି କରିସାରିଛନ୍ତି।
କେନ୍ଦ୍ର ସରକାର ନିଜ ପିଟିସନ୍ରେ କହିଥିଲେ ଯେ ଚାରି ଅଭିଯୁକ୍ତ ଏକ ଯୋଜନା କରି ଜଣକ ପରେ ଜଣେ ନିଜ ଆଇନତଃ ବିକଳ୍ପ ବ୍ୟବହାର କରୁଛନ୍ତି। ଆଇନ ସହ ସେମାନେ ଖେଳୁଛନ୍ତି। ଏଣୁ ସରକାର ଗୁହାରି କରିଥିଲେ ଯେ ଯେଉଁମାନଙ୍କ ବିକଳ୍ପ ଶେଷ ହୋଇଯାଇଛି ସେମାନଙ୍କୁ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଏଣୁ କୋର୍ଟ ଅଭିଯୁକ୍ତଙ୍କୁ ନିଜ ଆଇତଃ ବିକଳ୍ପ ବ୍ୟବହାର କରିବାକୁ ଏକ ସପ୍ତାହ ସମୟ ଦେଇଥିଲେ।