କରୋନା ଆତଙ୍କ : ଚୀନରେ ୨୬୬୩ ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ୩୧ ଦେଶରେ କାୟା ବିସ୍ତାର କରିଛି କରୋନା
ଚୀନରେ ମାରାତ୍ମକ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଆଜି ୨୬୬୩ରେ ପହଞ୍ଚିଥିବାବେଳେ ବିଶ୍ୱବ୍ୟାପୀ ୭୭,୧୫୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୩୧ଟି ଦେଶ ଏହି ରୋଗ ବ୍ୟାପିବାରେ ଲାଗିଛି। ଦକ୍ଷିଣ କୋରିଆ ଏବଂ ଇଟାଲିରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହୋଇଯାଇଛି।
ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଗତକାଲି ସର୍ବାଧିକ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଥିଲେ। ତେବେ ଚୀନ୍ ପରେ ଦକ୍ଷିଣ କୋରିଆରେ ୮୦୦ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆରେ ଆଜି ଆଉ ୭୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆରେ ସମୁଦାୟ ୧୧ ଜଣ ସାମରିକ ସଦସ୍ୟ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆରେ ପାଖାପାଖି ୭୬୩ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ଏହି ଦେଶରେ ୨୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇଟାଲିରେ ୧୨ରୁ ଅଧିକ ପ୍ରମୁଖ ସହରକୁ ଏବେ ବନ୍ଦ ରଖାଯାଇଛି। ୧୩୦ରୁ ଅଧିକ ଜଣ ଇଟାଲିରେ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ଇଟାଲିରେ ପୁଣି ଆଉ ୩ ଜଣଙ୍କ ମୃତ୍ୟୁ ହୋଇ ସମୁଦାୟ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି।
ଇରାନରେ ୫୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଇରାନ୍ ସରକାର ଏହାକୁ ଖଣ୍ଡନ କରିଛନ୍ତି। କରୋନା ଯୋଗୁଁ ଇରାନରେ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ଇଟାଲିରେ ସମୁଦାୟ ୨୧୯ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଦଶନ୍ଧିରେ ପ୍ରଥମ ଥର ପାଇଁ ଚୀନ୍ ଏହାର ବାର୍ଷିକ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।