ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ସାତ ବର୍ଷର ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ। ଏକାସଙ୍ଗେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ। ତିହାର ଜେଲ୍‌ର ୩ ନମ୍ବର ବାରାକ୍‌ରେ ଦିଆଯାଇଛି ଫାଶୀ। ଫାଶୀ ଖୁଣ୍ଟରେ ଝୁଲିଲେ ଅକ୍ଷୟ କୁମାର, ବିନୟ ଶର୍ମା, ପବନ ଗୁପ୍ତା, ମୁକେଶ କୁମାର। ଆଜି ସକାଳ ୫ଟା ୩୦ରେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ ଜହ୍ଲାଦ ପବନ। ୩୦ ମିନିଟ୍‌ ଯାଏ ଫାଶୀ ଖୁଣ୍ଟରେ ଝୁଲିବା ପରେ ୪ଜଣ ଦୋଷୀଙ୍କୁ ମୃତ ଘୋଷଣା କଲେ ତିହାର ଜେଲ୍‌ ଡାକ୍ତର। ଦୀନଦୟାଲ ହସ୍ପିଟାଲରେ ମୃତକ ମାନଙ୍କ ପୋଷ୍ଟମର୍ଟମ କରାଯିବ।
୨୦୧୨ ଡିସେମ୍ବର ୧୬ରେ ଏକ ଚଳନ୍ତା ବସ୍‌ରେ ଘଟିଥିଲା ଜଘନ୍ୟ ଗଣଦୁଷ୍କର୍ମ। ତେବେ ଠିକ୍‌ ୧୩ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ସେହି ମାସ ଡିସେମ୍ବର ୨୯ ତାରିଖରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ନିର୍ଭୟା ।

TIHAR JAIL

ଲୋକେ ଅନିଦ୍ରା ହୋଇ ଜଗିଥିଲେ

ଗତକାଲି ରାତିରୁ ତିହାର ଜେଲ୍‌ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କରୋନା ଭୟକୁ ଏଡ଼ାଇ ଶହ ଶହ ଲୋକ ତିହାର ଜେଲ୍‌ ବାହାରେ ଜଗି ରହିଥିଲେ । ଯଦିଓ ଫାଶୀ ଦେଖିବାର ସମ୍ଭାବନା ନଥିଲା ତଥାପି ସେମାନେ ଅପେକ୍ଷା କରି ରହିଥିଲେ । ଠିକ୍‌ ୫.୩୦ରେ ଫାଶି ହୋଇଯିବା ପରେ ସମସ୍ତେ ସେଠାରୁ ଚାଲି ଯାଇଥିଲେ । ଭୋର ସମୟରେ ଫାଶି ହେବ କି ନାହିଁ ଏହି ଆଶଙ୍କାରେ ଆଲୋଚନା ମଧ୍ୟ ହେଉଥିଲା ।

NIRBHAYA-1

ଫାଶି ପ୍ରକ୍ରିୟା ଏମିତି ଥିଲା

ତେବେ ରାତି ୪ଟାରୁ ଜେଲ୍‌ ଭିତରେ ଫାଶି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଦୋଷୀମାନଙ୍କୁ ଗାଧୋଇ ଦିଆଯିବା ପରେ ଫାଶି ପାଇଁ ଉଦ୍ଦିଷ୍ଟ ପୋଷାକ ପିନ୍ଧାଇ ଦିଆଯାଇଥିଲା । ଏହାପରେ ସେମାନଙ୍କ ହାତକୁ ପଛରୁ ବାନ୍ଧି ଦିଆଯାଇ ଠିକ୍‌ ୫.୩୦ ମିନିଟ୍‌ରେ ଏକସଂଗେ ଫାଶି ଦିଆଯାଇଥିଲା ।
ସେମାନଙ୍କୁ ଅଧଘଣ୍ଟାଏ ଯାଏ ଝୁଲାଇ ରଖିବା ପରେ ଫାଶିରୁ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷିତ କରିଥିଲେ । ମୃତଦେହଗୁଡ଼ିକୁ ପରେ ଦିଲ୍ଲୀ ଦୀନଦୟାଲ ହସପିଟାଲକୁ ନିଆଯାଇ ସେଠାରେ ପୋଷ୍ଟମର୍ଟମ କରାଯିବ । ଏହା ପରେ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ । ଯଦି ସେମାନେ ମୃତଦେହ ନନେବେ ତେବେ ପ୍ରଶାସନ ପକ୍ଷରୁ ଶେଷକୃତ୍ୟ କରାଯିବ ।

NIRBHAYA-2

ପରିବାର ଲୋକ କେହି ଆସିନଥିଲେ

ସୂଚନା ଅନୁସାରେ ଦୋଷୀମାନଙ୍କ ପରିବାରର କୌଣସି ସଦସ୍ୟ ତିଆହର ଜେଲ୍‌ ନିକଟକୁ ଆସିନଥିଲେ । ଏମିତିକି ସେମାନେ ମୃତଦେହ ନେବାକୁ ମନା କରି ଦେଇଥିବା କୁହାଯାଇଛି । ଏପଟେ ଚାରି ନିର୍ଭୟା ଦୋଷୀ ଜେଲ୍‌ରେ ଥିବା ବେଳେ ଯେଉଁ ସବୁ କାମ କରିଥିଲେ ସେଥିରେ ସେମାନଙ୍କୁ ମୋଟ୍‌ ୧ ଲକ୍ଷ ୬୯ ହଜାର ଟଙ୍କାର ପାରିଶ୍ରମିକ ମିଳିଛି । ଯାହାକୁ ସେମାନଙ୍କ ପରିବାରବର୍ଗକୁ ଦିଆଯିବ ବୋଲି ଜଣାପଡ଼ିଛି ।

ନିର୍ଭୟାଙ୍କ ପରିବାର ଆଖିରେ ଖୁସିର ଲୁହ

ଅନ୍ୟପକ୍ଷରେ ନିର୍ଭୟାଙ୍କ ମା ଓ ବାପା ଏବଂ ପରିବାର ଲୋକ ଜେଲ୍‌ ନିକଟରେ ଉପସ୍ଥିତ ଥିଲେ । ଫାଶି ପରେ ସେମାନେ ଖୁବ୍‌ ଖୁସି ଓ ତାଙ୍କ ଝିଅକୁ ଏତେ ବର୍ଷ ପରେ ନ୍ୟାୟ ମିଳିଲା, ତାର ଆତ୍ମାକୁ ଶାନ୍ତି ମିଳିଛି ବୋଲି କହିଛନ୍ତି । ସେହିପରି ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ସହିତ ଆଇନ୍‌ଜୀବୀ, ଦିଲ୍ଲୀ ପୋଲିସ୍‌ ଏବଂ ଗଣମାଧ୍ୟ ସମେତ ସାରା ଦେଶର ଲୋକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ମା ଆଶାଦେବୀ କହିଛନ୍ତି ଯେ ଯଦି ମୋ ଝିଅ ବଞ୍ଚିଥାନ୍ତା ତେବେ ଜଣେ ଡାକ୍ତରର ମା ଭାବେ ମୋତେ ସମସ୍ତେ ଚିହ୍ନିଥାନ୍ତେ । ହେଲେ ଏବେ ନିର୍ଭୟାର ମା ଭାବେ ମୋତେ ସାରା ବିଶ୍ୱ ଜାଣିଲା । ଝିଅ ଓ ଆମ ପରିବାରର ଏତେ ଲମ୍ବା ସଂଘର୍ଷ ଅନ୍ୟମାନଙ୍କୁ ସଚେତନ କରିଛି ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.