୨୪ ଘଣ୍ଟା ଭିତରେ ଇସ୍ତଫା ଦେଇପାରନ୍ତି ନୀତିଶ…ବିଜେପି ସହ ମେଣ୍ଟ ଗଢିବା ସମ୍ଭାବନା !

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ଓ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ ମିଳିବା ପରେ ବିହାର ରାଜନୀତି ସରଗରମ । ନୀତିଶ ମହାମେଣ୍ଟ ଛାଡ଼ି ପୁଣି ବିଜେପି ସହ ମେଣ୍ଟ କରିବେ ବୋଲି ଜଣାପଡ଼ିଛି ।

ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆରଜେଡି ଏବଂ ଜେଡିୟୁ ମଧ୍ୟରେ ବିବାଦ ବଢୁଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ମେଣ୍ଟର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ଓ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ ମିଳିବା ପରେ ବିହାର ରାଜନୀତି ସରଗରମ । ନୀତିଶ ମହାମେଣ୍ଟ ଛାଡ଼ି ପୁଣି ବିଜେପି ସହ ମେଣ୍ଟ କରିବେ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ନୀତିଶ ତାଙ୍କ ଜେଡିୟୁର ସମସ୍ତ ବିଧାୟକଙ୍କୁ ଡକାଇ ପରବର୍ତ୍ତୀ ରଣନୀତି ସ୍ଥିର କରିଥିବା ବେଳେ ସହଯୋଗୀ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି ।

ଏପଟେ ବିହାର ପରିସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ନୀତିଶଙ୍କ ବିରୋଧରେ ରାଜ୍ୟ ବିଜେପି ନେତାମାନେ କୌଣସି ବୟାନ ନଦେବାକୁ ତାଗିଦ କରାଯାଇଛି । ସୂଚନା ଅନୁସାରେ ନୀତିଶ ପ୍ରଥମେ ଇସ୍ତଫା ଦେବେ । ପରେ ବିଜେପି ସମର୍ଥନରେ ପୁଣି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବର୍ତ୍ତମାନର ବିଧାନସଭା ଭଙ୍ଗ ପାଇଁ ନୀତିଶ ସୁପାରିସ କରିପାରନ୍ତି ବୋଲି କୁହାଯାଉଛି । ସୁଶୀଲ ମୋଦି ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫେରିବା ନେଇ ଚର୍ଚ୍ଚା ଚାଲିଛି ।

ଇତିମଧ୍ୟରେ ନୀତିଶ କୁମାରଙ୍କୁ ମେଣ୍ଟ ବଦଳାଇବାରୁ ରୋକିବା ପାଇଁ ଆର୍ ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସକ୍ରିୟ ହୋଇଛନ୍ତି । ନୀତିଶଙ୍କ ସହ ଫୋନରେ କଥା ହୋଇଛନ୍ତି ଲାଲୁ । ତେବେ ଲାଲୁଙ୍କ ଝିଅ ରୋହିଣୀ ସିଙ୍ଗାପୁରରୁ ଟ୍ବିଟ୍ କରି ନୀତିଶଙ୍କୁ କଡ଼ା ସମାଲୋଚନା କରିଥିବାରୁ ଦୁଇ ଦଳ ଭିତରେ ତିକ୍ତତା ଚରମରେ ପହଞ୍ଚିଛି । ନୀତିଶ କୁମାର ଇଣ୍ଡିଆ ମେଣ୍ଟରେ ପରିବାରବାଦକୁ ଟାର୍ଗେଟ କରିବା ପରେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଉଭୟ ଦଳର ନେତାଙ୍କ ମଧ୍ୟରେ ପରସ୍ପର ବିରୋଧୀ ବୟାନ ତୀବ୍ର ହୋଇଥିଲା । ନୀତିଶ କୁମାର ପରିବାରବାଦକୁ ସମାଲୋଚନା କରିବା ସହ ପରୋକ୍ଷରେ ଲାଲୁ ପରିବାରକୁ ଟାର୍ଗେଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.