ନେପାଳ ବିମାନ ଦୁର୍ଘଟଣା : ଘଟଣାସ୍ଥଳରେ କେହି ବି ଜୀବିତ ନଥିଲେ, ନେପାଳ ଆର୍ମି ଜାରି କଲା ବୟାନ

ଗତକାଲି ନେପାଳରେ ବଡ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୭୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନେପାଳ ସେନାର ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରୀ ଏହା କହିଛନ୍ତି। ସେ କହିଛନ୍ତି, ବିମାନ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଜୀବିତ ନାହାନ୍ତି। ତେବେ ଯେଉଁ ୪ ଜଣଙ୍କର ମୃତଦେହ ମିଳିନାହିଁ, ସେମାନଙ୍କୁ ଖୋଜିବା ପାଇଁ ଆଜି ମଧ୍ୟ ସର୍ଚ୍ଚ ଅପରେସନ ଜାରି କରାଯାଇଛି । ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଦୁଃଖ ପ୍ରକାଶ କରିବା ସହିତ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ । ବିମାନ ଦୁର୍ଘଟଣା କ’ଣ ପାଇଁ ଘଟିଲା, ତାହାକୁ ନେଇ ୪୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି। ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ ହୋଇଛି । ସେମାନଙ୍କର ପରିଚୟ ହେଉଛି ସଂଜୟ, ସୋନୁ ଜୟସଓ୍ଵାଲ, ବିଶାଲ ଶର୍ମା, ଅନିଲ ରାଜଭର ଏବଂ ଅଭିଷେକ କୁଶଓ୍ଵାହା ପ୍ରମୁଖ ମୃତ୍ୟୁବରଣ କରିଛନ୍ତି । ୫ ଭାରତୀୟ ମୃତ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି ।ଏମାନଙ୍କ ମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ରହିଥିବା ବେଳେ ଅନ୍ୟ ଜଣେ ବିହାରରେ ରହିଥିଲେ ।

ସୂଚନାଯୋଗ୍ୟ, ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ୨ଜଣ କୋରିଆନ୍, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ଯାତ୍ରୀ ରହିଥିଲେ । ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.