UAEରେ ସବୁଠାରୁ ପ୍ରାଚୀନ କୋଠାର ସନ୍ଧାନ! ୮୫୦୦ ବର୍ଷ ପୁରୁଣା ଏହାର ଇତିହାସ; ଜାଣନ୍ତୁ ଅଧିକ ତଥ୍ୟ

ସଂଯୁକ୍ତ ଆରବ ଅମିରାତ୍‌ (ୟୁଏଇ)ର ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଶର ସବୁଠାରୁ ପ୍ରାଚୀନ ବିଲ୍ଡିଂର ସନ୍ଧାନ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଲ୍ଡିଂ ୮୫୦୦ ବର୍ଷର ପୁରୁଣା। ପୂର୍ବରୁ ମିଳିଥିବା ବିଲ୍ଡିଂଠାରୁ ମଧ୍ୟ ଏହା ୫୦୦ରୁ ଅଧିକ ବର୍ଷ ପୁରୁଣା। ଆବୁଧାବିର ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଏହି ଚମତ୍କାର ସନ୍ଧାନ ସମ୍ପର୍କରେ ସୂଚନା ଦେଇଛି। ଏହି ପ୍ରାଚୀନ ବିଲ୍ଡିଂ ଆବୁଧାବି ସହରର ପଶ୍ଚିମରେ ଅବସ୍ଥିତ ଘାଘା ଦ୍ୱୀପରେ ଆବିଷ୍କୃତ ହୋଇଛି।

ଏହି ଦ୍ୱୀପରୁ ଯେଉଁ ଢାଞ୍ଚା ମିଳିଛି, ତାହା ସାଧାରଣ ଗୋଲାକାର କୋଠରୀ ପରି ଦେଖା ଯାଉଛିି, ଯାହା ଚାରିପାଖରେ ପଥର କାନ୍ଥ ରହିଛି। ଏହି କାନ୍ଥ ୩.୩ ଫୁଟ ଉଚ୍ଚ ଏବଂ ଅନେକ ମାତ୍ରାରେ ସୁରକ୍ଷିତ ଅଛି। ଅନୁସନ୍ଧାନକାରୀ ଦଳ କହିଛି ଯେ ଏହି ନିର୍ମାଣ ବୋଧହୁଏ ଏକ ଛୋଟ ସମ୍ପ୍ରଦାୟର ଥିଲା, ଯେଉଁମାନେ ସେହି ସମୟରେ ଘାଘା ଦ୍ୱୀପରେ ରହୁଥିଲେ। ସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ ଲମ୍ବା ଦୂର ପର୍ଯ୍ୟନ୍ତ ସାମୁଦ୍ରିକ ବାଣିଜ୍ୟ ରାସ୍ତା ଆରମ୍ଭ ହେବା ପୂର୍ବରୁ ଏଠାରେ ପାଷାଣ ଯୁଗର ବସତି ରହିଥିଲା।

ବିଲ୍ଡିଂ ପାଖରେ ମୃତଦେହ ପୋତା ଯାଇଥିଲା

ଏହି ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପ୍ରାଚୀନ ସାମଗ୍ରୀ ମଧ୍ୟ ମିଳିଛି। ଏଥି ମଧ୍ୟରେ ପଥରରେ ନିର୍ମିତ ତୀର ମୁନ ବି ରହିଛି, ଯାହା ଶିକାର ପାଇଁ ବ୍ୟବହାର କରାଯାଉଥିଲା। ଟିମ୍‌ କହିଛି ଯେ ଏଠାରେ ରହୁଥିବା ଲୋକମାନେ ସମୁଦ୍ରରୁ ମିଳୁଥିବା ପ୍ରାକୃତିକ ସମ୍ପଦକୁ ବିନିଯୋଗ କରୁଥିଲେ। ଯଦିଓ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏ ପର୍ଯ୍ୟନ୍ତ ନିଶ୍ଚିତ ନୁହନ୍ତି ଯେ ଏହି ବିଲ୍ଡିଂ କେବେ ବ୍ୟବହୃତ ହୋଇଥିଲା। ବିଲ୍ଡିଂ ପାଖରେ ଏକ ମୃତଦେହ ପୋତା ହୋଇଥିବାର ଦେଖିବାକୁ ମିଳିଛି, ଯାହାକି ପାଖାପାଖି ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି।

ଆବୁଧାବି ଦ୍ୱୀପରେ ଥିବା କିଛି କବର ମଧ୍ୟରୁ ଏହା ଅନ୍ୟତମ। ସଂସ୍କୃତି ବିଭାଗ ଚେୟାରମ୍ୟାନ୍ ମହମ୍ମଦ ଅଲ୍ ମୁବାରକ କହିଛନ୍ତି, ଘାଘା ଦ୍ୱୀପରେ ହୋଇଥିବା ଆବିଷ୍କାରରୁ ଜଣାପଡିଛି ଯେ ନୂତନତାର ବିଶେଷତା, ସ୍ଥାୟିତ୍ୱ ଏବଂ ସ୍ଥିରତା ଏଠାରେ ହଜାର ହଜାର ବର୍ଷ ପୂର୍ବେ ରହୁଥିବା ଲୋକଙ୍କ ଡିଏନ୍ଏରେ ରହିଥିଲା। ଏହା ପୂର୍ବରୁ ୟୁଏଇରେ ସବୁଠାରୁ ପୁରୁଣା ବିଲ୍ଡିଂର ଆବିଷ୍କାର ମାରଓ୍ଵାହ ଦ୍ୱୀପରେ ହୋଇଥିଲା। ଏଠାରେ ୨୦୧୭ରେ ଦୁନିଆର ସର୍ବ ପୁରାତନ ମୋତି ବି ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.