ଓମିକ୍ରନ ଭାରିଆଣ୍ଟ ସହ ଦେଶରେ ଘାରିଛି ତୃତୀୟ ଲହରର ଭୟ , ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାର

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟ ସହ ଦେଶରେ ତୃତୀୟ ଲହରର ଭୟ ଘାରିଛି। ସମସ୍ତଙ୍କ ମନରେ ଏହି ଆଶଙ୍କା ଥିବା ବେଳେ କୋଭିଡ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଇଥିବାରୁ ଭୟ ଦ୍ୱିଗୁଣିତ ହୋଇଛି। ଦେଶର ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାର କରିଛି। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି।

ତେବେ ମହାରାଷ୍ଟ୍ରରେ ଚିହ୍ନଟ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ସଂକ୍ରମିତ କୋଭିଡ ଟିକାର ୨ଟି ଯାକ ଡୋଜ ଟିକା ନେଇସାରିଛନ୍ତି। ଏହି ୮୧ ପ୍ରତିଶତକୁ ବ୍ରେକ୍ ଥ୍ରୁ ଇନଫେକ୍ସନ ମାମଲା କୁହାଯାଉଛି। ଅର୍ଥାତ ସଂପୂର୍ଣ୍ଣ ଭାବେ ଟିକାକରଣ ପରେ ବି ସଂକ୍ରମିତ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଓମିକ୍ରନ ମାମଲାରେ ଦୁଇଟି ଡୋଜ ଟିକାକରଣ ସହ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି। ଏଭଳି ମାମଲା ଚିନ୍ତା ବଢାଇଛି।

ସେପଟେ ଦେଶରେ ୧୨ ରାଜ୍ୟରେ ମାଡିଲାଣି ଓମିକ୍ରନ । ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର୍ । ୭୭ ଜଣ ଓମିକ୍ରନରୁ ସୁସ୍ଥ ହୋଇଛନ୍ତି । ୮୦ ପ୍ରତିଶତ ଓମିକ୍ରନ କେସ୍ ଲକ୍ଷଣବିହୀନ । ବିଶ୍ୱବ୍ୟାପୀ ମଧ୍ୟ ଦ୍ରୁତ ବେଗରେ ମାଡ଼ି ଚାଲିଛି ଓମିକ୍ରନ । ପ୍ରାୟ ୯୦ ଦେଶକୁ ମାଡ଼ି ସାରିଲାଣି ନୂଆ ଭାରିଆଣ୍ଟ। ଆମେରିକାରେ ଦୈନିକ ଯେତେ ସଂକ୍ରମିତ ହେଉଛନ୍ତି ତାର ୭୩ ପ୍ରତିଶତ ଓମିକ୍ରନ ସଂକ୍ରମିତ।

ଏ ଯାଏ ଜଣଙ୍କ ମୃତ୍ୟୁ ହୋଇଛି। ତେଣୁ ଦ୍ରୁତ ଗତିରେ ମାଡୁଥିଲେ ମଧ୍ୟ ଅଧିକ ଗୁରୁତର ଅସୁସ୍ଥଙ୍କ ସଂଖ୍ୟା କମ୍ ରହୁଛି। ୟୁକରେ ୩୭ ହଜାର ଓମିକ୍ରାନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଟି ଡୋଜ୍ ଟିକା ଓ ବୁଷ୍ଟର ଡୋଜ ନେଇଥିଲେ ବି ଲୋକେ ସଂକ୍ରମିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.