ହଜାରେ କେଜି ପିଆଜ ବିକି ମାତ୍ର ୧୩ ଟଙ୍କା ରୋଜଗାର କଲେ ଚାଷୀ, ଦଲାଲ୍‌ ନେଇଗଲେ ଲାଭ

ଫସଲର ପ୍ରକୃତ ମୂଲ୍ୟ ପାଇପାରୁନାହାନ୍ତି ଚାଷୀ। ଫସଲ ଖରାପ ହେବା ଭୟରେ ଶାଗ ମାଛ ଦରରେ ନିଜ କଷ୍ଟ ଅର୍ଜିତ ଖାଦ୍ୟ ଶସ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଦେଶର ଚାଷୀ। ପୂର୍ବରୁ ଅନେକ ଥର ଚାଷୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଏବେ ପୁଣିଥରେ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି ମହାରାଷ୍ଟ୍ରର କୃଷକ। ମହାରାଷ୍ଟ୍ରର ସୋଲାପୁର ଚାଷୀ ୧୧୨୩ କେଜି ପିଆଜ ବିକ୍ରି କରିଛନ୍ତି। କିନ୍ତୁ ଏତେ ପରିମାଣର ପିଆଜ ବିକ୍ରି କରିଥିଲେ ମଧ୍ୟ ତାଙ୍କୁ ମାତ୍ର ଲାଭ ମିଳିଛି ୧୩ ଟଙ୍କା। ମାତ୍ର ୧୩ ଟଙ୍କା ନେଇ ଚାଷୀ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଶୀତଦିନେ ପିଆଜ ଦାମ୍‌ ବଢ଼ିଥିଲେ ମଧ୍ୟ ମହାରାଷ୍ଟ୍ରର ସୋଲାପୁରର ଜଣେ ଚାଷୀ ୧୧୨୩ କେଜି ପିଆଜ ବିକ୍ରି କରି ମାତ୍ର ୧୩ ଟଙ୍କା ରୋଜଗାର କରିଛନ୍ତି। ସୋଲାପୁର ସ୍ଥିତ କମିଶନ ଏଜେଣ୍ଟଙ୍କ ପକ୍ଷରୁ ମିଳିଥିବା ବିକ୍ରି ରସିଦ୍‌ରେ ମହାରାଷ୍ଟ୍ରର ଜଣେ ଚାଷୀ ବପ୍ପୁ କାବଡ଼େ ବଜାରକୁ ୧୧୨୩ କେଜି ପିଆଜ ବିକ୍ରି କରିଛନ୍ତି। ଏହା ବଦଳରେ ତାଙ୍କୁ ମାତ୍ର ୧୬୬୫.୫୦ ଟଙ୍କା ମିଳିଛି। ଏଥିରେ କମିଶନ ଏଜେଣ୍ଟଙ୍କ ଦୋକାନ ପର୍ଯ୍ୟଲ ମାଲ ନେବା ଶ୍ରମ, ଓଜନ କରିବା ଶୁଳ୍କ ଓ ପରିବହନ ଖର୍ଚ୍ଚ ଆଦି ରହିଛି। ତେବେ ଏଥିରେ ଉତ୍ପାଦନ ଖର୍ଚ୍ଚ ଭାବେ ୧୬୫୧.୯୮ ଟଙ୍କା ମିଳିଛି। ଅର୍ଥାତ୍‌ କୃଷକଙ୍କୁ କେବଳ ୧୩ ଟଙ୍କା ଲାଭ ମିଳିଛି।

ବପ୍ପୁ କାବଡ଼େଙ୍କ ବିକ୍ରି ରସିଦ ଟ୍ଵିଟ୍‌ କରିଥିବା ସ୍ୱାଭିମାନୀ ଶେତକାରୀ ସଂଗଠନର ନେତା ତଥା ପୂର୍ବ ଲୋକସଭା ସାଂସଦ ରାଜୁ ସେଟ୍ଟୀ କହିଛନ୍ତି, କେହି ଏହି ୧୩ ଟଙ୍କାର କରିବ କ’ଣ? ଏହା ଅସ୍ୱୀକାର୍ଯ୍ୟ। ଚାଷୀ ନିଜ କ୍ଷେତରୁ କମିଶନ ଏଜେଣ୍ଟଙ୍କ ଦୋକାନ ପର୍ଯ୍ୟନ୍ତ ପିଆଜକୁ ୨୪ ଥର ପଠାଇଛନ୍ତି। ପ୍ରତି ବଦଳରେ ସେ ମାତ୍ର ୧୩ ଟଙ୍କା ରୋଜଗାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.