କ୍ରିକେଟ୍‌ ବାଦଶାହ ହେବେ ପାକ୍‌ ପ୍ରଧାନମନ୍ତ୍ରୀ : ନିର୍ବାଚନରେ ଇମ୍ରାନ୍‌ ଖାନଙ୍କ ଦଳ PTIକୁ ସର୍ବାଧିକ ଆସନ

କରାଚୀ : ପାକିସ୍ତାନର ନୂଆ କପ୍ତାନ ହେବାକୁ ଯାଉଛନ୍ତି ଇମ୍ରାନ୍‌ ଖାନ । କ୍ରିକେଟ୍‌ ଟିମ୍‌ ନୁହଁ, ପୂରା ଦେଶର କ୍ୟାପଟେନ୍‌ ହେବାକୁ ଯାଉଛନ୍ତି । ନିର୍ବାଚନରେ ତାଙ୍କ ଦଳ ‘ପାକିସ୍ତାନ ତେହରିକ୍‌ ଏ ଇନ୍‌ସାଫ’- PTI ସବୁଠୁ ବଡ଼ଦଳ ଭାବେ ଉଭା ହୋଇଛି । ୨୭୨ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ବହୁମତ ପାଇଁ ୧୩୭ ଆସନ ଆବଶ୍ୟକ । ତେବେ PTI ବହୁମତଠାରୁ ପ୍ରାୟ ୨୦ଟି ସିଟ୍‌ ପଛରେ ଅଛି। ପିଟିଆଇକୁ ମିଳିଛି ୧୧୯ଟି ଆସନ । ନୱାଜ ସରିଫଙ୍କ ପାର୍ଟିକୁ ମିଳିଛି ୬୩ଟି ଆସନ।

ଅଭିଯୋଗ ହେଉଛି, ନିର୍ବାଚନରେ ବଡ଼ ଜାଲିଆତି ହୋଇଛି। ଏହାସହ ପାକିସ୍ତାନ ସେନା ଇମ୍‌ରାନ ଖାନ୍‌ଙ୍କ ତେହରକି ଏ ଇନ୍‌ସାଫକୁ ସମର୍ଥନ କରୁଛି । ନିର୍ବାଚନରେ ପିଟିଆଇକୁ କଡା ଟକ୍କର ଦେଉଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌ । ନିର୍ବାଚନ ପୂର୍ବରୁ ହିଁ ଏକ ଦୁର୍ନୀତି ମାମଲାରେ ନୱାଜ ସରିଫ ଓ ତାଙ୍କ ଝିଅକୁ ଗିରଫ କରାଯାଇଥିଲା । ନିର୍ବାଚନରେ, ତୃତୀୟ ସ୍ଥାନରେ ରହିଛି ବିଲାୱାଲା ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି । ବର୍ତ୍ତମାନ ପାକିସ୍ତାନରେ ଝୁଲା ସରକାର ହେବା ସ୍ପଷ୍ଟ। ତେବେ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ଦିନେ ଇମ୍ରାନ ପାକିସ୍ତାନ କ୍ରିକେଟ୍‌ର ବଡ଼ ତାରକା ଥିଲେ । ତାଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ୧୯୯୨ରେ ବିଶ୍ୱ ଚାମ୍ପିଅନ ହୋଇଥିଲା। ଅଲ୍‌ ରାଉଣ୍ଡର ଇମ୍‌ରାନଙ୍କ ଖେଳ ଯେମିତି ଦମ୍‌ଦାର, ଷ୍ଟାଇଲ ସେମିତ ସାନ୍‌ଦାର ଥିଲା । ଯୁବତୀଙ୍କ ପାଖରେ ବେଶ୍‌ ଲୋକପ୍ରିୟ ଇମରାନ । ତାଙ୍କର ଅନେକ ମହିଳା ବନ୍ଧୁଙ୍କୁ ନେଇ ଚର୍ଚ୍ଚା ଓ ବିବାଦ ରହିଛି।

କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ୧୯୯୬ରେ ସେ ପାକିସ୍ତାନ ତେହରିକ ଏ ଇନ୍‌ସାଫ ଦଳ ଗଠନ କରିଥିଲେ । ଆରମ୍ଭରୁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ୨୨ ବର୍ଷ ପରେ ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.